ମୁଖ୍ୟ ଖବର

ଗୁମର ଖୋଲି ଦେଲା ଫେସବୁକ୍ ଫଟୋ, କହୁ କହୁ କହିଦେଲେ ଡାୟାଲିସିସ୍ ବାବୁ…

By Angul TV Bureau

June 24, 2025

ଅନୁଗୁଳ: ସୋସିଆଲ ମିଡିଆରେ ଫଟୋ ଛାଡ଼ିବା ଏବେ ଟ୍ରେଣ୍ଡରେ। ଯିଏ ଯୁଆଡ଼େ ଗଲା, ଯାହା କଲା ଫଟୋଟେ ଉଠେଇ ଫେସବୁକ, ଇନଷ୍ଟାରେ ସେୟାର କରିଦେଉଛି। ଲୋକଙ୍କୁ ଦେଖେଇ ହେବା ହେଉ କି ଅଧିକ ଲୋକପ୍ରିୟତା ପାଇବାକୁ, ପ୍ରାୟ ସମସ୍ତେ ଆଜିକାଲି ଏହି କାମ କରୁଛନ୍ତି। କିନ୍ତୁ ଅନୁଗୁଳ ମେଡିକାଲର ଡାୟାଲିସିସ ବିଭାଗରେ କାମ କରୁଥିବା ଜଣେ ବାବୁଙ୍କ ପାଇଁ ଏହି ଫଟୋ ପୋଷ୍ଟ କରିବା ବୁମେରାଙ୍ଗ ପାଲଟିଛି।

କଥାଟି ହେଉଛି, ବାବୁ ଜଣକ ଦୁଇ ସହଯୋଗୀଙ୍କୁ ଧରି ବୁଲି ଯାଇଥିଲେ ସମ୍ବଲପୁର। ସେଠି ବୁଲାବୁଲି ବେଳର ଫଟୋକୁ ବାବୁ ଜଣକ ହମହମ ହୋଇ ନିଜ ଫେସବୁକରେ ପୋଷ୍ଟ କରି ଦେଇଥିଲେ। ଭାବିଥିଲେ ସାଙ୍ଗ ସାଥି ଦେଖିବେ ଆଉ ‘ଭଲ ବୁଲୁଛୁ’ ବୋଲି କମେଣ୍ଟ କରିବେ। ସେଇଆ ଭାବି ବାବୁ କୁତୁକୁତୁ ହେଉଥିବା ସମୟରେ ଫଳ କିନ୍ତୁ ହେଲା ଓଲଟା। ଫଟୋ ତଳେ ମେଡିକାଲର ହିଁ ଜଣେ କର୍ମଚାରୀ ଲେଖିଦେଲେ ‘କଣ ଡାଇଲିସିସ୍ ପଇସାରେ…’। ସେଇଠୁ ଦେଖିବ ବାବୁଙ୍କ ରାଗ। ସେ ବି କମେଣ୍ଟରେ ମୁହେଁ ମୁହେଁ ଏଣୁତେଣୁ ଗୁଡ଼େ ଲେଖିଦେଲେ। ଏପଟେ କମେଣ୍ଟ କରିଥିବା ବାବୁ ବି କୋଉ ଛାଡ଼ିବା ଜନ୍ତୁ। ୟାଙ୍କର ପଦେକୁ ତାଙ୍କର ପଦେ। ଏଇଥିରେ ଯିଏ ଯାହାର ଗୁମର ପେଡି ସୋସିଆଲ ମିଡିଆରେ ଖୋଲିଲେ। ଅନ୍ୟ ସାଙ୍ଗ ବି ୟାଙ୍କ ଝଗଡ଼ାକୁ ବେଶ୍ କିଛି ସମୟ ଉପଭୋଗ କଲେ।

କିନ୍ତୁ ବୋଧେ ଦୁଇ ଜଣ ନିଜ ଦୋଷ ଦୁର୍ବଳତା ଲୋକ ଲୋଚନକୁ ଆସିଗଲା ଜାଣିଗଲେ କି କଣ। ତୁରନ୍ତ କମେଣ୍ଟ ସବୁକୁ ଡିଲିଟ୍ କରି କଥାବାର୍ତ୍ତା ସାରିଦେଲେ। କିନ୍ତୁ ଏ ଡିଜିଟାଲ ଯୁଗରେ କଣ କଥା ଲୁଚୁଛି। ଏବେ ବି କିଛି ଲୋକ ଉଭୟଙ୍କ ଉତ୍ତର ପ୍ରତିଉତ୍ତରର ସ୍କ୍ରିନ ସର୍ଟ ଧରି ହସ ତାମସା ଚଳାଇଛନ୍ତି। ଏହି ଡାୟାଲିସିସ୍ ବାବୁଙ୍କ କମେଣ୍ଟ ଆଜି ଅନୁଗୁଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଯାହାବି ହେଉ ୟା ମାଧ୍ୟମରେ ଲୋକ ଜାଣିଗଲେ ଯେ ଡାୟାଲିସିସ୍ ବାବୁଙ୍କର ନିହାତି କିଛି ଗଫଲତି ଅଛି। ନହେଲେ ଚିଡ଼ିଥାନ୍ତେ କାହିଁକି…