ମୁଖ୍ୟ ଖବର

ସାବଧାନ! ଏନଟିପିସି କଣିହାଁ ନାଁରେ ବଣ୍ଟାଯାଉଛି ନକଲି ନିଯୁକ୍ତି ପତ୍ର: ଠକେଇ ଚକ୍ର ବିରୋଧରେ କମ୍ପାନୀର କଠୋର ଚେତାବନୀ

By Angul TV Bureau

April 03, 2026

ଅନୁଗୁଳ: ଏନଟିପିସି ତାଳଚେର କଣିହାଁ ପକ୍ଷରୁ ସାଧାରଣ ଜନସାଧାରଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସତର୍କବାଣୀ ଜାରି କରାଯାଇଛି। କିଛି ଅସାମାଜିକ ତତ୍ତ୍ୱ ଏନଟିପିସିର ବରିଷ୍ଠ ଅଧିକାରୀମାନଙ୍କ ଜାଲ୍ ସ୍ବାକ୍ଷର ବ୍ୟବହାର କରି ଲୋକଙ୍କୁ ଭୁଆଁ ବୁଲାଇବା ସହ ନକଲି ନିଯୁକ୍ତି ପତ୍ର ପ୍ରଦାନ କରୁଥିବା ଘଟଣା ପ୍ରଶାସନର ଦୃଷ୍ଟିଗୋଚର ହୋଇଛି। ଏହି ଜାଲିଆତି ସମ୍ପର୍କରେ ସୂଚନା ପାଇବା ପରେ କମ୍ପାନୀ କର୍ତ୍ତୃପକ୍ଷ ତୁରନ୍ତ ସ୍ପଷ୍ଟୀକରଣ ରଖିଛନ୍ତି ଯେ ବର୍ତ୍ତମାନ ଏନଟିପିସି ପକ୍ଷରୁ କୌଣସି ବିଭାଗରେ ନୂତନ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ବଜାରରେ ବୁଲୁଥିବା ଏହି ସର୍କୁଲାର କିମ୍ବା ନିଯୁକ୍ତି ପତ୍ରଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ମିଥ୍ୟା, ଅବୈଧ ଏବଂ ଅଧିକୃତ ନୁହେଁ।

ଏନଟିପିସି ପକ୍ଷରୁ କୁହାଯାଇଛି ଯେ କମ୍ପାନୀର ନିଯୁକ୍ତି ପ୍ରକ୍ରିୟା ସର୍ବଦା କେନ୍ଦ୍ରୀକୃତ ଢାଞ୍ଚାରେ ଅତ୍ୟନ୍ତ ପାରଦର୍ଶୀ ଭାବେ ସମ୍ପାଦିତ ହୋଇଥାଏ। ଏ ସମ୍ବନ୍ଧୀୟ ସମସ୍ତ ତଥ୍ୟ କେବଳ ଅଧିକୃତ ୱେବସାଇଟ୍ ଏବଂ ପ୍ରତିଷ୍ଠିତ ଗଣମାଧ୍ୟମ ଜରିଆରେ ହିଁ ସର୍ବସାଧାରଣଙ୍କୁ ଅବଗତ କରାଯାଏ। ତେଣୁ ସାଧାରଣ ଲୋକମାନେ ଏପରି କୌଣସି ଭ୍ରମାତ୍ମକ ତଥ୍ୟ ଉପରେ ବିଶ୍ୱାସ ନକରି ସତର୍କ ରହିବାକୁ ଅନୁରୋଧ କରାଯାଇଛି। ଯଦି କେହି ଏପରି ଠକେଇମୂଳକ କାର୍ଯ୍ୟକଳାପର ଶିକାର ହୋଇ ଆର୍ଥିକ କିମ୍ବା ଅନ୍ୟାନ୍ୟ କ୍ଷତି ସହନ୍ତି, ତେବେ ସେଥିପାଇଁ ଏନଟିପିସି କଣିହାଁ କର୍ତ୍ତୃପକ୍ଷ କୌଣସି ପ୍ରକାରେ ଦାୟୀ ରହିବେ ନାହିଁ ବୋଲି ଏକ ପ୍ରେସ ଇସ୍ତାହାରରେ ସ୍ପଷ୍ଟ କରାଯାଇଛି। ଏହି ଘଟଣାକୁ ଗୁରୁତ୍ୱର ସହ ନିଆଯାଇଥିବା ବେଳେ ଏହି ଚକ୍ରରେ ଜଡ଼ିତ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଶୀଘ୍ର ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମ୍ପାନୀ ସୂଚନା ଦେଇଛି।