ମୁଖ୍ୟ ଖବର

ଚାକିରି ଆଶାୟୀଙ୍କ ନାମରେ ଜାଲ ଋଣ

By Angul TV Bureau

March 12, 2021

ଅନୁଗୁଳ: ଜାଲ ଋଣ କରାଇଥିବା ଜଣେ ଘରୋଇ ଫାଇନାନ୍ସ କମ୍ପାନି କର୍ମଚାରୀଙ୍କୁ ଅନୁଗୁଳ ଟାଉନ ଥାନା ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ଏକ ଘରୋଇ ଫାଇନାନ୍ସ କମ୍ପାନିରେ କାର୍ଯ୍ୟକରୁଥିବା ଜରପଡ଼ା ଥାନା ଅଞ୍ଚଳର ପ୍ରତାପ ସାହୁଙ୍କୁ ବନ୍ତଳା ଥାନା ଅନ୍ତର୍ଗତ ଖିଣ୍ଡା ଗାଁର ଦିନେଶ ସାହୁ ଚାକିରି କରାଇଦେବା ପାଇଁ ତାଙ୍କର ବାୟୋ-ଡାଟା, ପାନ୍ କାର୍ଡ, ଆଧାର କାର୍ଡ, ପପୋର୍ଟ ସାଇଜର ଫଟୋ ଓ ଅନ୍ୟ କାଗଜପତ୍ର ଦେଇଥିଲେ । ତେବେ ପ୍ରତାପଙ୍କ ସହ ଭଡ଼ାରେ ଏକାଠି ରହୁଥିବା ସେହି ଫାଇନାନ୍ସ କମ୍ପାନିର ଅନ୍ୟଜଣେ କର୍ମଚାରୀ ରାଜେଶ ସାହୁ(୩୨) ଦିନେଶଙ୍କ କାଗଜପତ୍ରକୁ ନେଇ ତାଳଚେରର ବସନ୍ତ କୁମାର ସାହୁଙ୍କ ନାମରେ ଏକ ବାଇକ୍ ଋଣ କରାଇଥିଲେ। ଅପରପକ୍ଷରେ ୨୦୨୦ ସେପ୍ଟେମ୍ବର ମାସରେ ଘରୋଇ ଫାଇନାନ୍ସ କମ୍ପାନିର ଏଜେଣ୍ଟ ମୀନକେତନ ପାଣି ଦିନେଶଙ୍କ ଘରେ ପହଞ୍ଚି ବାଇକ୍ ଋଣର କିସ୍ତି ଦେବାକୁ କହିଥିଲେ। ତେବେ ଦିନେଶ କୌଣସି ବାଇକ ଋଣ କରି ନ ଥିବା କହିଥିଲେ । ଏ ନେଇ ଖୋଳତାଡ଼ ହେବା ପରେ ଜାଲିଆତି ହୋଇଥିବା ଜଣାପଡିଥିଲା । ଦିନେଶ ଦେଇଥିବା କାଗଜପତ୍ରକୁ ବ୍ୟବହାରକରି ଜାଲ ଋଣ କରାଯାଇଥିବା ଜଣାପଡିବା ପରେ ଦିନେଶ ୨୦୨୦ ନଭେମ୍ବର ୨୧ ତାରିଖରେ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, ଥାନା କେସ ନଂ ୧୩୧୫|୨୦ରେ ଆଇପିସିର ଦଫା ୪୨୦, ୪୬୮, ୪୭୧ ଓ ୩୪ ଅନୁସାରେ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା। ଶେଷରେ ଏହି ମାମଲାରେ ପୁଲିସ ରୋଜେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।