ଅନୁଗୁଳ: ପୋଲିସର ପରିଚୟ ଦେଇ ଟଙ୍କା ଠକିନେବା ଅଭିଯୋଗରେ ଜଣେ ଶଠଙ୍କୁ ଗିରଫ କରିଛି ଅନୁଗୁଳ ସଦର ଥାନା ପୋଲିସ। ଗିରଫ ଯୁବକ ଜଣଙ୍କ ହେଲେ ଖମାର ଥାନା କୁଞ୍ଜାମ ଗାଁର ବିରଞ୍ଚି ନାରାୟଣ ନାଏକ।
ସୂଚନା ଅନୁସାରେ କଙ୍କରେଇ ଗାଁର ମଣ୍ଟୁ ସାହୁ ନାମକ ଜଣେ ଯୁବକ ପଞ୍ଚମହଲାର ଜଣେ ଠିକାଦାରଙ୍କ ପାଖରେ କାମ କରୁଥିଲେ । ସେଠାରେ କାମ କରୁଥିବା ସମୟରେ ବିରଞ୍ଚି ସହ ତାଙ୍କ ପରିଚୟ ହୋଇଥିଲା। ବିରଞ୍ଚି ନିଜକୁ ଜଣେ ପୋଲିସ ଏସ ଆଇ କହିବା ସହ ପୋଲିସ ପୋଷାକରେ ଥିବା ତାଙ୍କର ଏକ ଫଟୋ ଦେଖାଇଥିଲେ। ଆଉ ଟଙ୍କା ଦେଲେ ମଣ୍ଟୁଙ୍କୁ ସେ ତାଳଚେର ଅଞ୍ଚଳର ଏକ ଖଣିରେ ଚାକିରୀ କରାଇ ଦେବାକୁ ବିରଞ୍ଚି ପ୍ରଲୋଭନ ଦେଖାଇଥିଲେ।
ମଣ୍ଟୁ ତାଙ୍କ କଥାରେ ପଡ଼ି ତିନୋଟି କିସ୍ତିରେ ୨୪ ହଜାର ଟଙ୍କା ଦେଇଥିଲେ। ହେଲେ ପରେ ବିରଞ୍ଚି ଆଉ ସହଜରେ ଧରାଛୁଆଁ ଦେଇ ନଥିଲେ। ମଣ୍ଟୁ,ବିରଞ୍ଚି ନକଲି ପୋଲିସ ଜାଣିବା ପରେ ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ବିରଞ୍ଚିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ତାଙ୍କ ଠାରୁ ୫୦ ହଜାର ଟଙ୍କା,ଏକ ମୋଟରସାଇକେଲ, ନକଲି ପୋଲିସ ପୋଷାକ, ଷ୍ଟାମ୍ପ, ନକଲି ଆଇ କାର୍ଡ ଆଦି ଜବତ କରିଛି ।