ମୁଖ୍ୟ ଖବର

ହୋଇପାରୁନି ଫାର୍ମର ରେଜିଷ୍ଟ୍ରୀ, ୨ ଖାନା ସଂଶୋଧନ ଅପେକ୍ଷାରେ କୃଷି ବିଭାଗ

By Angul TV Bureau

April 04, 2025

ଅନୁଗୁଳ: ଚାଷୀଙ୍କ ପାଇଁ ସାରା ରାଜ୍ୟରେ ଗତ ଜାନୁଆରୀରୁ ଆରମ୍ଭ ହୋଇଛି ଫାର୍ମର ରେଜିଷ୍ଟ୍ରି ବା କୃଷକ ପଞ୍ଜିକରଣ ପ୍ରକ୍ରିୟା। ଗ୍ରାମାଞ୍ଚଳରେ କୃଷି ଅଧିକାରୀଙ୍କ ପାଖରେ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରରେ ଏହି ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। କିନ୍ତୁ ଏହା ଭିତରେ ପ୍ରାୟ ୮୦ ପ୍ରତିଶତ ଚାଷୀ ନିଜ ନାମରେ ଜମି ପଟ୍ଟା ନଥିବା କାରଣରୁ ଫାର୍ମର ରେଜିଷ୍ଟ୍ରିରେ ନିଜକୁ ସାମିଲ କରିବାରୁ ବଞ୍ଚିତ ହେଉଛନ୍ତି। ଏହି ଡିଜିଟାଲ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ପାଇଁ ରାଜସ୍ୱ ବିଭାଗର ୨ ଖାନା ସଂଶୋଧନ ଉପରେ ଆଶା ବାନ୍ଧିରଖିଛି କୃଷି ବିଭାଗ। ଜିଲ୍ଲାରେ ଅଧିକାଂଶ ଚାଷୀଙ୍କ ଜମି ପଟ୍ଟାରେ ମୃତ ରୟତଙ୍କ ନାମ ଥିବାରୁ ଏହି ପଞ୍ଜୀକରଣ ପ୍ରକ୍ରିୟାରେ ବାଧା ଉପୁଜିଛି।ସୂଚନା ଯେ ଓଡ଼ିଶାର ଚାଷୀଙ୍କୁ ଏକ ଡିଜିଟାଲ ପ୍ଲାଟଫର୍ମରେ ରଖି ପ୍ରତି

କୃଷକଙ୍କର କୃଷକ ଆଇ.ଡି ଖୋଲିବା ପାଇଁ ଆରମ୍ଭ ହୋଇଛି ଫାର୍ମର ରେଜିଷ୍ଟ୍ରି। ଏହା ମାଧ୍ୟମରେ ପ୍ରତ୍ୟେକ ଚାଷୀ ଯାହାର ନିଜ ନାମରେ ଜମି ରହିଛି। ସେମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରିବା ସହ ସ୍ୱତନ୍ତ୍ର କୃଷକ ପଞ୍ଜିକରଣ ଆଇ.ଡି ପ୍ରସ୍ତୁତ ହେଉଛି। ଗ୍ରାମାଞ୍ଚଳରେ ପଞ୍ଚାୟତ ସ୍ତରର କୃଷି ଅଧିକାରୀ କିମ୍ବା ସ୍ଥାନୀୟ ଜନସେବା କେନ୍ଦ୍ରରେ ଏହି ପଞ୍ଜୀକରଣ ଚାଲୁରହିଛି। ହେଲେ ବର୍ତ୍ତମାନ ୮୦ ପ୍ରତିଶତ ଲୋକ ଏହି ପଞ୍ଜୀକରଣ କରାଇପାରୁନାହାନ୍ତି। ଆବଶ୍ୟକୀୟ ଦସ୍ତାବିଜ ଦେଇ ପାରୁନଥିବା କାରଣରୁ ଚାଷୀ ନିରାଶ ହୋଇ ଫେରିଆସୁଛନ୍ତି।

ଜିଲ୍ଲାରେ ପ୍ରାଥମିକ ପର୍ଯ୍ୟୟରେ ପିଏମ୍‌ କିଷାନ ସହାୟତା ପାଉଥିବା ୧ଲକ୍ଷ ୨୭ ହଜାର ଚାଷୀଙ୍କୁ ଏହି ପଞ୍ଜୀକରଣରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛି କୃଷି ବିଭାଗ। ଏହା ବାଦ୍‌ ଯେଉଁ ଚାଷୀଙ୍କ ନିଜ ନାମରେ ପଟ୍ଟା ରହିଛି, ସେମାନେ ମଧ୍ୟ ଏହି ଯୋଜନାରେ ପଞ୍ଜୀକରଣ କରାଇପାରିବେ ବୋଲି ଜିଲା କୃଷି ବିଭାଗ କହିଛି।