ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ନାକଚି ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ଜଣେ ଚାଷୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ନାକଚି ଗ୍ରାମର ଇନ୍ଦ୍ରମଣି ସାହୁ (୫୨)।
ସୂଚନା ଅନୁଯାୟୀ, ଆଜି ସକାଳେ ଇନ୍ଦ୍ରମଣି ନିଜ ଗାଈଗୋରୁଙ୍କୁ ରାସ୍ତା ପାର କରାଉଥିବା ସମୟରେ ଅନୁଗୋଳରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ୍ ତାଙ୍କୁ ସାମ୍ନାରୁ ଜୋରଦାର ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଖବର ପାଇ ହଣ୍ଡପା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖିଛି। ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।