ମୁଖ୍ୟ ଖବର

ଶୀତ କାକରରେ ପଡ଼ିଛି ବର୍ଷକର ଅମଳ: କଟନୀ ଛଟନୀ ପାଇଁ ମଣ୍ଡିରୁ ଉଠୁନି ଧାନ, ରାସ୍ତା ଅବରୋଧ କଲେ ଚାଷୀ

By Angul TV Bureau

January 17, 2025

ଅନୁଗୁଳ: ଚାଷୀର ବର୍ଷକର ଅମଳ ଏବେ ଖୋଲାରେ ପଡ଼ିଛି। ମଣ୍ଡିକୁ ବିକ୍ରି ପାଇଁ ଆଣିଥିବା ବେଳେ କଟନୀ ଛଟନୀ ପାଇଁ ଉଠିପାରିନି ଧାନ। ଫଳରେ ଚାଷୀ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ ମାଧପୁର ଓ କନ୍ଧପଡ଼ା ଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ମୁତାବକ, ମଣ୍ଡିରେ କ୍ଵିଣ୍ଟାଲ ପିଛା ୩ କିଲୋ କଟାଯିବାକୁ ନେଇ ବିଭାଗୀୟ ଅଧିକାରୀ ଓ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଘଟଣାସ୍ଥଳରେ ଆଠମଲ୍ଲିକ ବିଡିଓ, ଓଏସିଏସଓ ଓ ତହସିଲଦାର୍ ପହଞ୍ଚି ଚାଷୀଙ୍କ ଠାରୁ ୩ କିଲୋ ପ୍ରତି କ୍ଵିଣ୍ଟାଲ କଟାଯିବ ବୋଲି କହିବାରୁ ଚାଷୀ ରାଜି ହୋଇ ନ ଥିଲେ। ଚାଷୀମାନେ କଟନୀ ଛଟନୀ ବନ୍ଦ ପାଇଁ ଲିଖିତ ନିବେଦନ କରିଥିଲେ। କିନ୍ତୁ ସୁଫଳ ନ ମିଳିବାରୁ ଗୁରୁବାର ଚାଷୀ ମାନେ ମାଧପୁର ଓ କନ୍ଧପଡ଼ା ବନ୍ଦ ଡାକରା ଦେବା ସହ ଆଠମଲ୍ଲିକରୁ ବୌଦ୍ଧକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଆଠମଲ୍ଲିକ ତହସିଲଦାର୍ ଓ ବିଡିଓ ଧାରଣାସ୍ଥଳରେ ପହଞ୍ଚି ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଉଚିତ ମୂଲ୍ୟ ନ ପାଇଲେ ରାସ୍ତାରୁ ଉଠିବୁ ନାହିଁ ବୋଲି ଚାଷୀ ଚେତାବନୀ ଦେଇଥିବା ଜଣାଯାଇଛି।