ମୁଖ୍ୟ ଖବର

ମାତ୍ର ୫୦ ଟଙ୍କା ପାଇଁ ରକ୍ତପାତ: ପୁତୁରା ଓ ଦିଅରର ଟାଙ୍ଗିଆ ଚୋଟରେ ମା’- ପୁଅ ଗୁରୁତର

By Sanjeeb Biswal

November 10, 2024

ଅନୁଗୁଳ: ମାତ୍ର ୫୦ ଟଙ୍କା ପାଇଁ ରକ୍ତପାତ। ଟଙ୍କା ପଚାଶଟା ପାଇଁ ମା’ ଓ ପୁଅକୁ ଟାଙ୍ଗିଆରେ ମାରି ଲହୁଲୁହାଣ କରି ଦେଇଛନ୍ତି ପୁତୁରା ଆଉ ଦିଅର। ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅଧୀନସ୍ଥ କୁଶିକିଳା ଗାଁରେ। ଆକ୍ରମଣରେ ଗୁରୁତର ହୋଇଛନ୍ତି

ଜରପଡ଼ା ଥାନା କୁଶକିଳା ଗାଁର ଲବଙ୍ଗ ସାହୁ ଓ ତାଙ୍କ ପୁଅ ଲିକୁ ସାହୁ। ସୂଚନା ମୁତାବକ, ଆକ୍ରମଣ କରିଥିବା ଓ ଆକ୍ରମଣର ଶିକାର ହୋଇଥିବା ଦୁଇ ପରିବାର ଗୋଟିଏ ଘରେ ରୁହନ୍ତି। ଆଜି ଲବଙ୍ଗଙ୍କ ପରିବାର ଲୋକ ଘରେ ନଥିବା ବେଳେ ପୁଅ ଲିକୁଙ୍କ ପକେଟରୁ ୫୦ ଟଙ୍କା ଚୋରି ହୋଇଥିଲା। ଏନେଇ ଜାଣିବା ପରେ ଲବଙ୍ଗ ଘର ଭିତରେ ପଶି କିଏ ଚୋରି କରିଛି କହି ଗାଳିଗୁଲଜ କରିଥିଲେ। ଏହି ଗାଳି ଗୁଲଜକୁ ନେଇ ଲବଙ୍ଗଙ୍କ ଦିଅର ଓ ପୁତୁରା ମଧ୍ୟରେ ତୀବ୍ର ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପୁତୁରା ଚିଣ୍ଟୁ ଏକ ଟାଙ୍ଗିଆ ଓ ଲବଙ୍ଗଙ୍କ ଦିଅର ତଥା ଚିଣ୍ଟୁର ବାପା ଏକ ଲୁହା ରଡରେ ଆକ୍ରମଣ କରିଥିଲେ। ଏହା ଦେଖି ଲବଙ୍ଗଙ୍କ ପୁଅ ଲିକୁ ସାହୁ ବଞ୍ଚାଇବାକୁ ଆସିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଉଭୟ ମା’ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ କୋଶଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଏ ନେଇ ଗୁରୁତର ଆହତଙ୍କ ପରିବାର ଅଭିଯୋଗ କରିନଥିବା ବେଳେ ଭୁବନା ସାହୁଙ୍କ ସାନପୁଅ ତାଙ୍କ ପରିବାରକୁ ମାରପିଟ କରିଥିବା ନେଇ ଅଭିଯୋଗ କରିଛନ୍ତି ବୋଲି ଜରପଡ଼ା ଥାନାଧିକାରୀ ନିର୍ମଳା ଗୋଛାୟତ କହିଛନ୍ତି।