ଘଟଣା ଓ ଦୁର୍ଘଟଣା

ଧାର୍ ଟଙ୍କା ଫେରସ୍ତ ମାଗିବାରୁ ଯୁବକଙ୍କୁ କଟରାରେ ଆକ୍ରମଣ, ବାମ ହାତରେ ଗଭୀର ଆଘାତ

By Angul TV Bureau

September 15, 2024

ଅନୁଗୁଳ: ଧାର୍ ଟଙ୍କା ଫେରସ୍ତ ମାଗିବାରୁ ଯୁବକଙ୍କୁ କଟରାରେ ଆକ୍ରମଣ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି। ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଭେରୁ ଗୁଣିଆ ସାହିରେ ଏଭଳି ଅଘଟଣ ଘଟିଛି। ଗୁରୁତର ଯୁବକ ହେଲେ ପଞ୍ଚମହଲା ଭେରୁ ଗୁଣିଆ ସାହିର ବିଚିତ୍ର ପଲେଇଙ୍କ ପୁଅ ଶିବାନୀ ପଲେଇ (୨୨)।

ସୂଚନା ମୁତାବକ, ଗୁଣିଆ ସାହିର ଯୋଗେଶ୍ଵର ସାହୁ ଶିବାନୀଙ୍କ ଠାରୁ ୧୦ ହଜାର ଟଙ୍କା ଧାର୍ ନେଇଥିଲେ। ଟଙ୍କା ମାଗିବାକୁ ଶନିବାର ଦିନ ଶିବାନୀ ଯୋଗେଶ୍ଵରଙ୍କ ଘରକୁ ଯାଇଥିଲେ। କିନ୍ତୁ ଯୋଗେଶ୍ଵର ଘରେ ନଥିବାରୁ ତାଙ୍କ ସ୍ତ୍ରୀ କାଲି ଆସିବାକୁ କହିଥିଲେ।

ରବିବାର ସକାଳେ ଶିବାନୀ ତାଙ୍କ ମାଆଙ୍କୁ ସାଙ୍ଗରେ ନେଇ ଯୋଗେଶ୍ଵରଙ୍କୁ ଟଙ୍କା ମାଗିବାକୁ ଯାଇଥିଲେ। କିନ୍ତୁ ସେ ରାଗିଯାଇ ଘରୁ ଏକ ଧାରୁଆ କଟରା ଆଣି ଶିବାନୀଙ୍କ ବାମ ହାତକୁ ହାଣି ଦେଇଥିଲେ। ଗୁରୁତର ଅବସ୍ଥାରେ ଶିବାନୀଙ୍କୁ ପରିବାର ଲୋକେ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ତାଙ୍କ ହାତରେ ଗଭୀର ଆଘାତ ଲାଗିଛି ବୋଲି ଡାକ୍ତର କହିଛନ୍ତି।