ଘଟଣା ଓ ଦୁର୍ଘଟଣା

ପୁଅର ଟାଙ୍ଗିଆ ଆକ୍ରମଣରେ ବାପା ଆହତ, ଥାନାରେ ଦେଲେ ଏତଲା

By Angul TV Bureau

August 20, 2023

ଛେଣ୍ଡିପଦା: ପୁଅର ଟାଙ୍ଗିଆ ଆକ୍ରମଣରେ ଆହତ ହୋଇଛନ୍ତି ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ତୁକୁଡା ଗ୍ରାମରେ। ଏ ନେଇ ଆହତ ବାପା ବିଶ୍ୱନାଥ ସାହୁ ଜରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ଗତକାଲି ବିଶ୍ୱନାଥ ଘରେ ଥିବା ବେଳେ ରାତି ପ୍ରାୟ ୮ଟା ସମୟରେ ତାଙ୍କ ପୁଅ ଶ୍ୟାମଘନ ସାହୁ ଆସି ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଏକ ଟାଙ୍ଗିଆରେ ହାଣିବାକୁ ଗୋଡ଼ାଇ ଥିଲା। ଜୀବନ ବିକଳରେ ବିଶ୍ୱନାଥ ଓ ତାଙ୍କ ପତ୍ନୀ ଘରେ ପଶି କବାଟ ବନ୍ଦ କରି ଦେଇଥିଲେ। ଶ୍ୟାମଘନ କବାଟକୁ ଗୋଇଠା ମାରି ଘରେ ପଶି ବାପାଙ୍କୁ ହାଣିବା ପାଇଁ ଉଦ୍ୟମ କରିଥିଲା। କିନ୍ତୁ ବିଶ୍ୱନାଥ ଟାଙ୍ଗିଆକୁ ଧରିପକେଇବା ବେଳେ ତାହା ହାତରେ ବାଜି ପ୍ରବଳ ରକ୍ତ ବୋହିଯାଇଥିଲା। ପରିବାର ଲୋକେ ତୁରନ୍ତ ବିଶ୍ୱନାଥଙ୍କୁ ଜରପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରିବା ପରେ ସେ ଜରପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ କେସ ନଂ୨୬୧/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।