ଘଟଣା ଓ ଦୁର୍ଘଟଣା

ବରିଷ୍ଠ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ବନ୍ଧା ହେଲେ ସରପଞ୍ଚ ଓ ୩ ସହଯୋଗୀ

By Angul TV Bureau

July 03, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ରୋହିଲା ଗ୍ରାମର ବରିଷ୍ଠ ବିଜେପି କର୍ମୀ ତପନ ସାହୁଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ରୋହିଲା ଗ୍ରାମପଞ୍ଚାୟତର ସରପଞ୍ଚ ଦିବ୍ୟଲୋଚନ ନାଏକଙ୍କ ସମେତ ୩ ଜଣ ସ‌ହଯୋଗୀ ଚନ୍ଦ୍ରକାନ୍ତ ନାଏକ (୨୨), ଗୋବିନ୍ଦ ଭଗତ (୨୭) ଓ ପ୍ରକାଶ ଦେହୁରୀ (୩୨) ଙ୍କୁ ସୋମବାର ରାତିରେ ପୁଲିସ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ଜାମିନ୍ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ହାଜତକୁ ପଠାଇ ଦିଆଯାଇଛି।

ତପନ ସାହୁଙ୍କ ପୁଅ ବୁଦ୍ଧଦେବଙ୍କ ଏତଲା ଆଧାରରେ ଗତ ୨୫ ତାରିଖ ସନ୍ଧ୍ୟାରେ ଶ୍ରୀ ସାହୁ ଗୁଡ଼ିଗାଡ଼ ନିକଟରେ ଶୌଚ ହୋଇଥିଲେ। ଏହି ସମୟରେ ଛକି ରହିଥିବା ଅଭିଯୁକ୍ତମାନେ ପ୍ଲାଷ୍ଟିକ୍‌ ପାଇପ୍‌ରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ପରିବାର ଲୋକ ଶ୍ରୀ ସାହୁଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖମାର ଡାକ୍ତରଖାନା ଓ ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଗୋଟିଏ ଆଖି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଥିଲା।ପ୍ରକାଶ ଯେ, କିଛି ମାସ ପୂର୍ବରୁ ସରପଞ୍ଚ ଦିବ୍ୟଲୋଚନଙ୍କ ନାମରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ପଛରେ ବିଜେପି କର୍ମୀ ଶ୍ରୀ ସାହୁଙ୍କ ହାତ ଥିବା ସନ୍ଦେହ କରି ଯୋଜନାବଦ୍ଧ ଭାବେ ଏହି ଆକ୍ରମଣ ହୋଇଛି। ଏପରିକି ଅନାସ୍ଥା ପ୍ରସ୍ତାବ ଆଗତ ନେଇ ଶ୍ରୀ ସାହୁଙ୍କୁ ସରପଞ୍ଚ ମୋବାଇଲ ଫୋନରେ ଧମକଚମକ ଦେଇଥିଲେ ବୋଲି ଏତଲାରେ ଦର୍ଶାଯାଇଛି।