ମୁଖ୍ୟ ଖବର

ଘରୋଇ ଝଗଡ଼ାରୁ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ, ଗୁରୁତର ମହିଳାଙ୍କୁ କଟକ ସ୍ଥାନାନ୍ତର କଲେ ଅନୁଗୁଳ ଡାକ୍ତର

By Angul TV Bureau

September 29, 2024

ଅନୁଗୁଳ: ଘରୋଇ ଝଗଡ଼ାରୁ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ। ସ୍ଥାନୀୟ କୁଲାଡ ଗ୍ରାମ ହିଙ୍ଗୁଳା ସାହିରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୁରୁତର ମହିଳା ହେଲେ ବନମାଳୀପୁର ଗ୍ରାମର ଜୟ ବେହେରାଙ୍କ ଝିଅ ବନିତା ଦେହୁରୀ। ତାଙ୍କୁ ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ସୂଚନା ମୁତାବକ, ଜୟ ବେହେରା ଝିଅ ବନିତା ଦେହୁରୀଙ୍କୁ ଛଅ ବର୍ଷ ତଳେ କୁଲାଡ ଗ୍ରାମ ହିଙ୍ଗୁଳା ସାହିର କନ୍ଦର୍ପ ଦେହୁରୀଙ୍କ ପୁଅ ପବନା ଦେହୁରୀଙ୍କ ସହ ବୈଦିକ ରୀତିରେ ବିବାହ କରାଇଥିଲେ। ଆରମ୍ଭରୁ ଉଭୟଙ୍କ ମଧ୍ୟରେ ସବୁ କିଛି ଠିକ୍ ଠାକ୍ ଥିଲା। କିନ୍ତୁ ଗତ ଦୁଇ ତିନି ବର୍ଷ ହେବ ଅର୍ଥ ଅଭାବରୁ ପରିବାରରେ ଝଗଡ଼ା, ମାର ପିଟ୍ ଲାଗି ରହିଥିଲା। ଏଥିରେ ଅତିଷ୍ଠ ହୋଇ ବନିତା ନିଜ ବାପା ଘରକୁ ଚାଲି ଆସିଥିଲେ। ଉଭୟ ପରିବାରରେ ବୁଝାମଣା ପରେ ବନିତା ପୁଣି ଥରେ ଶାଶୁ ଘରକୁ ଫେରିଥିଲେ।

କିନ୍ତୁ ଗତ କାଲି ରାତିରେ ଜୟ ବେହେରାଙ୍କୁ ଫୋନ କରି ଜଣେ ବ୍ୟକ୍ତି ଜଣାଇଥିଲେ କି ଆପଣଙ୍କ ଝିଅକୁ ଏକ ଧାରୁଆ ଅସ୍ତ୍ରରେ ଜ୍ବାଇଁ ଆକ୍ରମଣ କରିଛି। ତାଙ୍କ ବେକ, ହାତ ଓ ଛାତିରେ ଗଭୀର ଆଘାତ ଲାଗିଛି। ଏହା ଶୁଣି ସେ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଥିଲେ। କିନ୍ତୁ ସେଠାରେ ଡାକ୍ତର ଝିଅକୁ କଟକ ବଡ ଡାକ୍ତରଖାନାକୁ ନେବାକୁ କହିଥିଲେ।

ଆକ୍ରମଣ ସମ୍ପର୍କରେ ଜୟ ବେହେରା ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଛି।