ମୁଖ୍ୟ ଖବର

ଟ୍ରକ ମାଲିକ ସଂଘରେ ସାଂଘାତିକ ଅନିୟମିତତା: ହିସାବ ନ ମିଳିଲେ ୧୫ ଦିନ ପରେ କାର୍ଯ୍ୟାନୁଷ୍ଠାନ

By Biswaranjan Pattnaik

July 03, 2022

ଅନୁଗୁଳ: ଅନୁଗୁଳ ଟ୍ରକ ମାଲିକ ସଂଘରେ ବ୍ୟାପକ ଅନିୟମିତତା। ଗତ ଏପ୍ରିଲ ମାସରେ ସଂଘରେ ନୂଆ ସଭାପତି ଯୋଗ ଦେବା ପରେ ୨୦୨୦-୨୧ ଆର୍ଥିକ ବର୍ଷର ଅଡିଟ କରାଇବା ବେଳେ ଆର୍ଥିକ ଅନିୟମିତତା ହୋଇଥିବା ଜାଣିବାକୁ ପାଇଥିଲେ। ଏହି ମାମଲା ଏବେ ରୋଚକ ସ୍ଥିତିରେ ପହଞ୍ଚିଛି। ଲୁବ୍ରିକାଣ୍ଟ ବିକ୍ରି ବାବଦକୁ ପ୍ରାୟ ୭ ଲକ୍ଷ ଏବଂ ନଗଦ ପ୍ରାୟ ୩ ଲକ୍ଷ ୭୯ ହଜାର ଟଙ୍କାର ହିସାବ ନ ମିଳିବାରୁ ପୂର୍ବତନ କର୍ମକର୍ତ୍ତାଙ୍କୁ ଚିଠି କରି କୈଫତ ମଗାଯାଇଥିଲା। ହେଲେ ପୂର୍ବତନ ତଥା ବର୍ତ୍ତମାନ ସମ୍ପାଦକ ଅକ୍ଷୟ ସାମନ୍ତ ଏହାକୁ ମିଥ୍ୟା ଏବଂ ଅଭିସନ୍ଧିମୂଳକ ବୋଲି କହିବାରୁ ବିବାଦ ତେଜିଛି। ଏ ନେଇ ଗତ ୩୦ ତାରିଖରେ ସଂଘର ଏକଜିକ୍ୟୁଟିଭି ବଡିର ବୈଠକ ଡକାଯାଇଥିଲା। ବୈଠକରେ ସଂଘର ଉପଦେଷ୍ଟା ରବୀନ୍ଦ୍ର ପ୍ରଧାନ ସତ ମାନି ନେବାକୁ କହିଥିଲେ। ଏନେଇ ସାଧାରଣ ସମ୍ପାଦକ ମତ ରଖିଥିଲେ ମଧ୍ୟ କେହି ତାହାକୁ ଗ୍ରହଣ କରି ନଥିଲେ। ଶେଷରେ ବରିଷ୍ଠ ସଦସ୍ୟ ସତ୍ୟାନନ୍ଦ ଦଳବେହେରା ଏନେଇ ଦ୍ଵିତୀୟ ପକ୍ଷଙ୍କୁ ୧୫ ଦିନ ସମୟ ଦେବାକୁ ଅନୁରୋଧ କରିଥିଲେ। ଏହାକୁ ସଭାପତି ଅମ୍ବିକା ଭଟ୍ଟ ଏବଂ ଅନ୍ୟ ସଦସ୍ୟମାନେ ଗ୍ରହଣ କରିଥିଲେ। ପନ୍ଦର ଦିନ ପରେ ଆର୍ଥିକ ଅନିୟମିତତାର ଭରଣା ନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଭାପତି କହିଛନ୍ତି।