ଅନୁଗୁଳ: କୋଭିଡ୍ ସଂକ୍ରମଣ ବଢୁଥିବାରୁ ଏଥର ତାଳଚେରର ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ଓ ଲୋକ ମହୋତ୍ସବକୁ ବାତିଲ କରାଯାଇଛି । କେବଳ ପରମ୍ପରା ରକ୍ଷା ପାଇଁ ମା’ଙ୍କ ପାରମ୍ପରିକ ନୀତିନିୟମ ଅନୁସାରେ ପୂଜାର୍ଚ୍ଚନା କୋଭିଡ୍ ନିୟମ ଅନୁସାରେ କରାଯିବା ସହ କୌଣସି ପ୍ରକାର ଜନସମାଗମକୁ ପ୍ରୋତ୍ସାହିତ କରାଯିବ ନାହିଁ । ମା ହିଙ୍ଗୁଳାଙ୍କ ବାର୍ଷିକ ପୂଜାପର୍ବ ନିମନ୍ତେ ଦ୍ବିତୀୟ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ତାଳଚେରର ଅଧିଷ୍ଠାତ୍ରୀ ଦେବୀ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ମଙ୍ଗଳବାର ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମଳନୀ କକ୍ଷ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ତାଳଚେର ଉପଜିଲ୍ଲାପାଳ ତଥା ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜଂ ଟ୍ରଷ୍ଟି ରଜନୀକାନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉତ୍ସବ ଆୟୋଜନ ନେଇ ସବୁ ଦିଗରୁ ଆଲୋଚନା କରାଯାଇଥିଲା। କରୋନାର ଦ୍ବିତୀୟ ଲହରୀ ତଥା ବର୍ତ୍ତମାନର ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାତ୍ରାକୁ ବାତିଲ କରି କେବଳ ପାରମ୍ପରିକ ନୀତିନିୟମ ଅନୁଯାୟୀ ପୂଜା କରିବାକୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଉପଜିଲ୍ଲାପାଳ ପ୍ରସ୍ତାବ ଦେଇଥିଲେ। ଏହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ବୈଠକରେ ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ନିର୍ମଳ କୁମାର ତ୍ରିପାଠୀ, ହିଙ୍ଗୁଳା ଖଣି ମହାପ୍ରବନ୍ଧକ ପି.ବି. ରେଡ଼ୀ, ଟ୍ରଷ୍ଟ ସଦସ୍ୟ ଜଗମୋହନ ଗଡ଼ନାୟକ, ମୂରଲୀଧର ସାହୁ, ସଞ୍ଜୟ ସାହୁ, ରାଜେନ୍ଦ୍ର ସିଂ, ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ଅରୁଣ କୁମାର ପ୍ରଧାନ, ଗଗନ ବିହାରୀ ସାହୁ, ରତ୍ନାକର ସାହୁ, ସଞ୍ଜୟ କୁମାର ମାଝି, ପୌର ନିର୍ବାହୀ ଅଧିକାରୀ ରଶ୍ମିରେଖା ଅମାନ୍ତ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।