ମୁଖ୍ୟ ଖବର

ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା, ପର ପିଢ଼ି ପାଇଁ ଉଦାହରଣ ହେବାକୁ ପରାମର୍ଶ

By Angul TV Bureau

June 06, 2023

ଅନୁଗୁଳ: ଆଜି ଅପରାହ୍ନରେ ସ୍ଥାନୀୟ ସଭାଘରଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବୈଠକରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଯୋଗ ଦେଇ ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରି ନିଜ ଜିଲ୍ଲା ଏବଂ ରାଜ୍ୟର ଗୌରବ ଆଣିବା ସହ ପର ପିଢି ପାଇଁ ଉଦାହରଣ ହେବାକୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲାରୁ ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖିଥିବା ୩୯ଟି ଉଚ୍ଚ ବିଦ୍ୟାଳୟର ୧୩୯ ଜଣ ଛାତ୍ରଛାତ୍ରୀ, ୨ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସମେତ ୧୧୩ କଣ ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ, ୨୬ ଜଣ ଓଡିଶା ଆଦର୍ଶ ବିଦ୍ୟାଳୟ ଜିଲ୍ଲା ପ୍ରଶାସନ ଓ ଆମ ପ୍ରତିଭା ଆମ ସ୍ବାଭିମାନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିପରି ରାଜ୍ୟରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଅନୁଗୁଳ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନର ଛାତ୍ରୀ ସ୍ବାତୀ ସାଗରିକା ଆଚାର୍ଯ୍ୟଙ୍କୁ ସମ୍ମାନିତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଢେଙ୍କାନାଳ ସାଂସଦ ମହେଶ ସାହୁ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମୂଲ୍ୟ କୁମାର ଗଡ଼ନାୟକ, ପୌରପାଳିକାର ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ରାଜ୍ୟ ସରକାରଙ୍କ ଜଳ ଯୋଗାଣର ଉପଦେଷ୍ଟା ଦିନେଶ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ପ୍ରତିଭା ବାରିକଙ୍କ ସମେତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।