ମୁଖ୍ୟ ଖବର

ଏଲିଟ୍ ଏଜୁକେଶନାଲ୍ ଗ୍ରୁପ୍‌ରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା: ଜୀବନରେ ଉତ୍ତମ ମଣିଷ ହେବାକୁ ଆହ୍ୱାନ

By Angul TV Bureau

May 22, 2026

ଅନୁଗୁଳ: ଏଲିଟ୍ ଏଜୁକେଶନାଲ୍ ଗ୍ରୁପ୍ ପକ୍ଷରୁ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର କହିଛନ୍ତି ଯେ, ପରୀକ୍ଷା ଫଳ ଅପେକ୍ଷା ଜୀବନରେ ଉତ୍ତମ ମଣିଷ ହେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେ ଶିକ୍ଷାନୁଷ୍ଠାନଗୁଡ଼ିକୁ ମୂଲ୍ୟବୋଧଭିତ୍ତିକ ଶିକ୍ଷା ପ୍ରଦାନ ଏବଂ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି।

ମୁଖ୍ୟ ବକ୍ତା ଭାବେ ତାଳଚେର ଏମସିଏଲ୍ ଭରତପୁର କ୍ଷେତ୍ରର ମହାପ୍ରବନ୍ଧକ ଏ. କେ. ଦାସ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ଏକାଗ୍ରତାର ସହ ଲକ୍ଷ୍ୟ ହାସଲ କରିବାକୁ ଆହ୍ୱାନ ଦେଇଛନ୍ତି।ଅନୁଷ୍ଠାନର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ସୁଶୀଲ୍ ପ୍ରସାଦ ସାହୁ ସଭାରେ ସଭାପତିତ୍ୱ କରି ସମସ୍ତ ସଫଳ ଛାତ୍ରଛାତ୍ରୀ ଓ ବିଶ୍ୱାସୀ ଅଭିଭାବକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କାର୍ଯ୍ୟକ୍ରମରେ ସମସ୍ତ କୃତୀ ଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅଧ୍ୟାପକ ସଞ୍ଜୟ ସାହୁ ସ୍ୱାଗତ ଭାଷଣ ଏବଂ ଅଧ୍ୟାପକ ସୁଶାନ୍ତ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ନିର୍ଦ୍ଦେଶକ କିଶୋର ଚନ୍ଦ୍ର ବେହେରା ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।