ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜଣେ ମହିଳା ଡାକ୍ତରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ମହିଳା ଡାକ୍ତର ଜଣକ ନିଜ କ୍ୱାର୍ଟର୍ସରୁ ଟ୍ରମା କେୟାର ୟୁନିଟ୍କୁ ଡ୍ୟୁଟି ପାଇଁ ଯାଉଥିବା ସମୟରେ, ୩ ନମ୍ବର ବ୍ଲକ ନିକଟରେ ଏକ ବାଇକ୍ରେ ଦୁଇ ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ।
ଏହି ଘଟଣା ପରେ ମେଡିକାଲ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଦିଲ୍ଲୀପ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କ ସହ ଆଲୋଚନା କରିଛନ୍ତି। ଆକ୍ରମଣ ଯୋଗୁଁ ମହିଳା ଡାକ୍ତର ଜଣକ ମାନସିକ ସ୍ତରରେ ଭୟଭୀତ ଥିବା ସୂଚନା ମିଳିଛି। ଆସନ୍ତାକାଲି ଏନେଇ ଥାନାରେ ଆନୁଷ୍ଠାନିକ ଭାବେ ଅଭିଯୋଗ କରାଯିବ।
ତେବେ ଡାକ୍ତରଖାନାରେ ବ୍ୟାପକ ସିକ୍ୟୁରିଟି ଗାର୍ଡ ଏବଂ ସିସିଟିଭି କ୍ୟାମେରା ଥାଇ ମଧ୍ୟ ଦୁର୍ବୃତ୍ତମାନେ କିପରି ଆକ୍ରମଣ କରି ଖସିଗଲେ, ତାହାକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।