ଘଟଣା ଓ ଦୁର୍ଘଟଣା

ମହିଳାଙ୍କଠାରୁ ଝାମ୍ପିନେଲେ ୫୦ ହଜାର ଟଙ୍କା

By Swagatika Samantray

July 20, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସରରେ ଥିବା ଏକ ରାଷ୍ଟ୍ରାୟତ ବ୍ୟାଙ୍କରୁ ବୁଧବାର ଅପରାହ୍ନରେ ୫୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିବା ମହିଳାଙ୍କଠାରୁ ଝାମ୍ପିନେଲେ ଲୁଟେରା। ସୂଚନା ମୁତାବକ, କାଣ୍ଡସର ଗାଁର ପବିତ୍ର ବେହେରାଙ୍କ ସ୍ତ୍ରୀ ଅଶାନ୍ତୀ ବେହେରା(୩୮) ତାଙ୍କ ଝିଅ ପ୍ରଭାତୀଙ୍କ ସହ ଗାଁର ପଞ୍ଜାବ ନେସନାଲ ବ୍ୟାଙ୍କ ଶାଖାରୁ ୫୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ। ଏହି ସମୟରେ ପଛରୁ ଏକ କଳା ରଙ୍ଗର ପଲସର ବାଇକରେ ୨ ଜଣ ଯୁବକ ହେଲ୍‌ମେଟ୍ ପିନ୍ଧି ଆସି ଟଙ୍କା ଥିବା ବ୍ୟାଗଟି ଝାମ୍ପିନେଲେ। ବ୍ୟାଗ୍‌ରେ ଟଙ୍କାସହ ଏକ ମୋବାଇଲ ଫୋନ୍ ମଧ୍ୟଥିଲା। ଏ ନେଇ ଅଶାନ୍ତୀ ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ଶିଘ୍ର ଅଭିଯୁକ୍ତମାନଙ୍କୁ ଧରାଯିବ ବୋଲି ପୋଲିସ ପ୍ରକାଶ କରିଛି।