ମୁଖ୍ୟ ଖବର

ରାସ୍ତା ନିର୍ମାଣରେ ମହାଘୋଟାଲା ଘଟଣା: ୧୦ ଲକ୍ଷ ହେରଫେର ମାମଲାରେ ଥାନାରେ ଏତଲା ଦେଲେ ଛେଣ୍ଡିପଦା ବିଡିଓ

By Angul TV Bureau

January 24, 2025

ଅନୁଗୁଳ: ରାସ୍ତା ନିର୍ମାଣରେ ମହାଘୋଟାଲା ନେଇ ଛେଣ୍ଡିପଦା ଥାନାରେ ଏତଲା ଦେଇଛନ୍ତି ଛେଣ୍ଡିପଦା ବିଡିଓ। ବିଡିଓଙ୍କ ଅଭିଯୋଗ ଆଧାରରେ ଛେଣ୍ଡିପଦା ଥାନାରେ କେସ ନଂ ୪୧/୨୪ରେ ମାମଲା ରୁଜୁ କରିବା ସହିତ ଧାରା ୩୧୬(୨), ୩୧୬(୫) ଓ ୩(୨) ଅନୁଯାୟୀ ପୋଲିସ ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରି ପଞ୍ଚାୟତ ବାରମଞ୍ଚା ଗାଁରେ ପଞ୍ଚମ ରାଜ୍ୟ ଅର୍ଥ କମିସନର ଜିଆଇଏ ସ୍କିମ୍ ଅନ୍ତର୍ଗତ ଅଲ୍ ୱେଦର କନେକ୍ଟିଭିଟିଭି ଫର ଦ ଇୟର ୨୦୨୪/୨୫ ବର୍ଷ ପାଇଁ ବିଜୁ ଘର ଠାରୁ ଆଉଁଳି ପର୍ଯ୍ୟନ୍ତ ରାସ୍ତାର ଉନ୍ନତି ପାଇଁ ୧୦ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବ୍ଲକର କନିଷ୍ଠ ଯନ୍ତ୍ରୀ କ୍ଷମାସାଗର ସିଂହ ନାମରେ ଯୋଗାଇ ଦିଆଯାଇଥିଲା। କିନ୍ତୁ ରାସ୍ତା କାମ ନ କରି ଚଞ୍ଚକତା କରି ୧୦ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ନେଇ ଟାଙ୍ଗିରି ପଞ୍ଚାୟତର ଜନ ପ୍ରତିନିଧି ମହେଶ୍ୱର ମାଝୀ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ।ଅଭିଯୋଗ ପରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ହେମନ୍ତ ସିଂହ ଓ ଛେଣ୍ଡିପଦା ବିଡିଓ ତ୍ରିବିକ୍ରମ କୁମୁରା ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରିଥିଲେ। ଏ ନେଇ ଖବର ପ୍ରକାଶନ ପରେ ତଦନ୍ତକୁ ତ୍ୱରାନ୍ୱିତ କରିବା ସହ କନିଷ୍ଠ ଯନ୍ତ୍ରୀ ମିଥ୍ୟା ବିଲ କରି ୧୦ଲକ୍ଷ ଆତ୍ମସାତ୍ କରିଥିବା ପ୍ରମାଣ ପାଇଥିଲେ। ଏଥିପାଇଁ ଛେଣ୍ଡିପଦା ବିଡିଓ ତ୍ରିବିକ୍ରମ କୁମୁରା ସରକାରୀ ଅର୍ଥ ଆତ୍ମସାତ କରିଥିବା ନେଇ କନିଷ୍ଠ ଯନ୍ତ୍ରୀ କ୍ଷମାସାଗର ସିଂହ ଓ ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ସେଠୀଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ବିଡିଓ ଅଭିଯୋଗରେ ଦର୍ଶାଇଛନ୍ତି ଯେ କ୍ଷମାସାଗର ଡିସେମ୍ବର ୧୬ ତାରିଖରେ ଏମବି ନଂ ୪୭/୨୩-୨୪ରେ ବିଲ ଓ ଭାଉଚର ଦାଖଲ କରିଥିଲେ ଏବଂ ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ସେଠୀ ଦ୍ୱାରା ଯାଞ୍ଚ ଏବଂ ମାପ କରାଯାଇଛି l ମାପ ପରେ ସରକାରୀ ଟ୍ୟାକ୍ସକୁ ବଢ଼ାଇ ୮,୯୩,୭୪୯ ଟଙ୍କା ପ୍ରଦାନ କରାଯାଇଛି। ଉକ୍ତ ଦୁଇ ଜଣ ମିଥ୍ୟା ବିଲ୍ ଦେଇ ସରକାରୀ ଅର୍ଥ ଆତ୍ମସାତ କରିଥିବା ନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।