ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତୁରଙ୍ଗ ପଞ୍ଚାୟତର ଜଣଙ୍କ ଘରେ ନିଆଁ ଲାଗି ଏକ ବଖରା ଘର ପାଉଁଶ ହୋଇଯାଇଛି। ଶନିବାର ବିଳମ୍ବିତ ରାତିରେ ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିବା ଜଣାଯାଇଛି।
ସୂଚନା ମୁତାବକ, ୧୦ ନମ୍ବର ୱାର୍ଡର ଭଗବାନ ବେହେରାଙ୍କ ଘରେ ସମସ୍ତେ ଶୋଇଥିବା ବେଳେ ସଟ୍ ସର୍କିଟ୍ ଯୋଗୁ ନିଆଁ ଲାଗିଯାଇଥିଲା। ରୋଷେଇ ଘରେ ନିଆଁ ଜଳିବା ପରେ ସମସ୍ତଙ୍କ ନିଦ ଭାଙ୍ଗିଥିଲା। ସେତେବେଳକୁ ଘରେ ଥିବା ଚାଉଳ, ଧାନ, ଗହମ, ଲୁଗାପଟା ଜଳି ସାରିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଆଗ୍ନିକମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ଗୋଟେ ବଖରା ସମ୍ପୂର୍ଣ୍ଣ ଜଳିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଭଗବାନ ବେହେରାଙ୍କ ପାଖାପାଖି ଦେଢ଼ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।
ଅଗ୍ନିକାଣ୍ଡ ବିଷୟରେ ଜାଣିବା ପରେ ତୁରଙ୍ଗ ପଞ୍ଚାୟତର ନୂତନ ସରପଞ୍ଚ ସମରେନ୍ଦ୍ର ଦେହୁରୀ ଓ ଯୁବ ନେତା କାର୍ଗିଲ ଦାସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ କ୍ଷତିଗ୍ରସ୍ତ ପରିବାରକୁ ଭେଟି ଲୁଗାପଟା ଓ ଶୁଖିଲା ଖାଦ୍ୟ ପ୍ରଦାନ କରିବା ସହ ଆର୍ଥିକ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।