ଅନ୍ୟାନ୍ୟ

ଅଗ୍ନିଶମ ବିଭାଗର ଯାଞ୍ଚ: ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଆପାର୍ଟମେଣ୍ଟ ଓ ନର୍ସିଂ ହୋମ୍‌କୁ ନୋଟିସ୍‌

By Angul TV Bureau

May 19, 2022

ଅନୁଗୁଳ: ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷର ସହରର ବିଭିନ୍ନ ସ୍ଥାନରେ ଫାୟାର ଅଡିଟ୍‌ କରାଯାଇଛି। ଆଜି ପୂର୍ବାହ୍ନରେ ପ୍ରଥମେ ସ୍ଥାନୀୟ ୮ ତାଲା ବିଶିଷ୍ଟ ପ୍ରଫୁଲ୍ଲ ମିଶ୍ର ଆପାର୍ଟମେଣ୍ଟରେ ଯାଞ୍ଚ କରାଯାଇଥିଲା। ଏ ଅବସରରେ ଆପାର୍ଟମେଣ୍ଟରେ ଅଗ୍ନି ସୁରକ୍ଷା ପାଇଁ କି କି ପଦକ୍ଷେପ ନିଆଯାଇଛି, ସେ ନେଇ ଆଗ୍ନିକ ମାନେ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ସୁରକ୍ଷା ଯନ୍ତ୍ରପାତିଗୁଡ଼ିକ ଭଲ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। କିନ୍ତୁ ଅଳ୍ପ କିଛି ଯନ୍ତ୍ର ଖରାପ ଥିଲା। ଏହି କାରଣରୁ ଏହି ଆପାର୍ଟମେଣ୍ଟକୁ ଫାୟାର ସେଫ୍ଟି ସାର୍ଟିଫିକେଟ୍‌ ଦେଇନି ଅଗ୍ନିଶମ ବିଭାଗ।

ଏହା ପରେ ଚନ୍ଦନ ନର୍ସିଂ ହୋମ୍‌ରେ ଅଡିଟ୍‌ କରାଯାଇଥିଲା। ଏଠାରେ ଅଳ୍ପ ସଂଖ୍ୟାରେ ନିଆଁ ଲିଭା ସାମଗ୍ରୀ ଥିଲା। ଏଣୁ ଏହି ନର୍ସିଂହୋମ୍‌କୁ ଖୁବ୍‌ ଶୀଘ୍ର ନୋଟିସ୍‌ ପଠାଯିବ ବୋଲି ଅଗ୍ନିଶମ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ସହରର ବିଭିନ୍ନ ବଡ଼ ବଡ଼ କୋଠା ଓ ମଲ୍‌ଗୁଡ଼ିକରେ ଅଗ୍ନି ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନଥିବା ଜଣାପଡ଼ିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଡିଟ୍‌ କରାଯାଇଛି। ଏହି ଅଡିଟ୍‌ ବେଳେ ଆବଶ୍ୟକୀୟ ସାମଗ୍ରୀ ନଥିବା ସଂସ୍ଥାକୁ ନୋଟିସ୍‌ କରୁଛି ଅଗ୍ନିଶମ ବିଭାଗ।