ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ କଂସମୁଣ୍ଡା ଜୟପୁର ସାହିରେ ସୋମବାର ଇଲେକ୍ଟ୍ରିକ୍ ସ୍କୁଟି ବ୍ୟାଟେରିରେ ସର୍ଟ ସର୍କିଟ୍ ଘଟି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ସମୟରେ ଘର ଭିତରେ ବାପା ଓ ପୁଅ ଫସି ରହିଥିଲେ।
ସୂଚନାଯୋଗ୍ୟ ଯେ, ଅଗ୍ନିକାଣ୍ଡ ସମୟରେ ମୁନା ଦେହୁରୀ (୩୨) ଏବଂ ତାଙ୍କ ୭ ବର୍ଷର ପୁତ୍ର ରାକେଶ ଦେହୁରୀ ଘର ଭିତରେ ଥିଲେ। ଖବର ପାଇ କଣିହାଁ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ହାବିଲଦାର ସମୀର ପ୍ରଧାନଙ୍କ ନେତୃତ୍ୱରେ କର୍ମଚାରୀମାନେ ଅତି ତତ୍ପରତାର ସହ ନିଆଁକୁ ଆୟତ କରିବା ସହ ଉଭୟ ବାପା-ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।ଏହି ଅଗ୍ନିକାଣ୍ଡରେ ଇଲେକ୍ଟ୍ରିକ୍ ସ୍କୁଟିଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିବା ବେଳେ ଅଗ୍ନିଶମ ବାହିନୀର ସାହସିକତା ଯୋଗୁ ଏକ ବଡ଼ଧରଣର ଅଘଟଣରୁ ପ୍ରାଣରକ୍ଷା ହୋଇପାରିଛି। କଣିହାଁ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।