ମୁଖ୍ୟ ଖବର

ଏବେ ଘରେ ପହଞ୍ଚିବ ସରକାରୀ ଭତ୍ତା: ପୌର ପରିଷଦର ପ୍ରଥମ କାଉନସିଲ ବୈଠକରେ ମଞ୍ଜୁର ହେଲା ଏକାଧିକ ଦାବି

By Angul TV Bureau

April 30, 2022

ତାଳଚେର: ତାଳଚେର ପୌର ପରିଷଦ ପକ୍ଷରୁ ଶନିବାର ପ୍ରଥମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ନବ ନିର୍ବାଚିତ ନଗରପାଳ ପବିତ୍ର ଭୂତିଆ ଅଧ୍ୟକ୍ଷତା କରିଥିଲେ। ଏ ଅବସରରେ ନବ ନିର୍ବାଚିତ କାଉନସିଲରଙ୍କୁ ନଗରପାଳ ସ୍ୱାଗତ ଜଣାଇବା ସହ ଆଗାମୀ ଦିନରେ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ସହରର ପରିମଳ ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ଦୁଇଟି ଅଳିଆ ଆବର୍ଜନା ବୁହା ଯାନ ସହ ଆବଶ୍ୟକୀୟ ସରଞ୍ଜାମ, ମଶା ତେଲ ଇତ୍ୟାଦି କିଣିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଆଗକୁ ବର୍ଷାଦିନ ଥିବାରୁ ଏବେଠୁ ହିଁ ପୋତି ହୋଇଯାଇଥିବା ଡ୍ରେନଗୁଡ଼ିକର ପୁନରୁଦ୍ଧାର ପାଇଁ ନିଷ୍ପତ୍ତି ହୋଇଛି। ଏଥିସହ ପିଇବା ପାଣି ପାଇଁ ସହରରେ ଥିବା କୂଅଗୁଡ଼ିକୁ ପୁନଃ ଉଦ୍ଧାର କରାଯିବା ସହ ୨ଟି ପାଣି ଟ୍ୟାଙ୍କର କିଣିବା ପାଇଁ ଆଲୋଚନା ହୋଇଛି। ସହରରେ ସ୍ୱାସ୍ଥ୍ୟ ସେବା ଉପରେ ଅଧିକ ଗୁରୁତ୍ବ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ଏଥିସହ ନୂତନ ଆଲୋକୀକରଣ ବ୍ୟବସ୍ଥା ପାଇଁ ପ୍ରତି ୱାର୍ଡରେ ଅନ୍ୟୁନ ୫ଟି ଲେଖାଏଁ ନୂତନ ଲାଇଟ୍ ଲଗାଇବା ଓ ଦୀର୍ଘ ଦିନ ହେଲାଣି ଅଚଳ ହୋଇ ପଡ଼ିଥିବା ଷ୍ଟ୍ରିଟ୍ ଲାଇଟକୁ ମରାମତି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ବର୍ଦ୍ଧିତ ହୋଲଡିଂ ଟିକସକୁ ଲାଗୁ ନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିସହ ପୌର ପରିଷଦ ପକ୍ଷରୁ ଘରେ ଘରେ ବୁଲି ବିଭିନ୍ନ ଭତ୍ତା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପ୍ରତିନିଧି ଅରବିନ୍ଦ ବାରିକ, ଉପନଗରପାଳ ସୁଶ୍ରୀ ଶୁଭସ୍ମିତା ପ୍ରଧାନ, ପୌର ପରିଷଦ ନିର୍ବାହୀ ଅଧିକାରୀ ସୁଶ୍ରୀ ରଶ୍ମିରେଖା ଅମାନ୍ତଙ୍କ ସମେତ ସମସ୍ତ ୨୧ଟି ୱାର୍ଡର କାଉନସିଲର, ପୌର ଯନ୍ତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଆଗାମୀ ଦିନରେ ସହରରେ ଅଧିକ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ଏ ଅବସରରେ ନଗରପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ।