Law Judge Gavel And Legality Symbol

ମୁଖ୍ୟ ଖବର

ମହିଳାଙ୍କୁ ଅସଦାଚରଣ ଓ ହତ୍ୟା ଉଦ୍ୟମ ମାମଲା: ଛେଣ୍ଡିପଦା ଜେଏମଏଫସି କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ସୁକାନ୍ତ

By Sanjeeb Biswal

March 24, 2023

ଛେଣ୍ଡିପଦା: ମହିଳାଙ୍କୁ ଅସଦାଚରଣ ଓ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ମାମଲାର ଶୁଣାଣି କରି ଛେଣ୍ଡିପଦା ଜେଏମଏଫସି କୋର୍ଟ ପୁରୁଣାଗଡ଼ ଗ୍ରାମର ସୁକାନ୍ତ ଗଡ଼ନାୟକକୁ ଏକ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ୧୦ ଦିନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ପୋଲିସ ସୂଚନା ମୁତାବକ, ୨୦୦୭ ମସିହା ନଭେମ୍ବର ୮ ତାରିଖ ବିଳମ୍ବିତ ରାତିରେ ମହିଳା ଜଣକ ପରିସ୍ରା କରିବା ପାଇଁ ଘର ବାହାରକୁ ବାହାରିଥିଲେ। ତାଙ୍କୁ ଏକାକୀ ଦେଖି ସେହି ଗାଁର ସୁକାନ୍ତ ଗଡ଼ନାୟକ ଓ ଟୁଟୁ ନାଏକ ଟଣାଓଟରା କରିଥିଲେ। ମହିଳାଙ୍କ ଚିତ୍କାର ଶୁଣି ତାଙ୍କ ସ୍ୱାମୀ ଆସିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ପରେ ସ୍ୱାମୀ ଓ ସ୍ତ୍ରୀ ଘର ଭିତରକୁ ଯାଇଥିଲେ। କିନ୍ତୁ ଉତ୍ତ୍ୟକ୍ତ ସୁକାନ୍ତ ଓ ଟୁଟୁ ଉଭୟଙ୍କୁ ବାହାରୁ କବାଟ କିଳି କିରୋସିନ ଢାଳି ନିଆଁ ଲଗାଇ ମାରି ଦେବାକୁ ଉଦ୍ୟମ କରୁଥିଲେ। ପାଟି ଶୁଣି ଗ୍ରାମବାସୀ ପହଞ୍ଚି ଯିବାରୁ ଅଭିଯୁକ୍ତ ଦ୍ବୟ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

ଏ ନେଇ ମହିଳାଙ୍କ ସ୍ୱାମୀ କାଳିଚରଣ ବିଶ୍ଵାଳ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଆଧାରରେ ଉଭୟକୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ଇତି ଅବସରରେ ଅଭିଯୁକ୍ତ ଟୁଟୁର ମୃତ୍ୟୁ ହୋଇଛି। ଏହି ମାମଲାକୁ ସରକାରୀ ଓକିଲ ସରବଜିତ ଶ୍ରୀଚନ୍ଦନ, ଲକ୍ଷ୍ମୀଧର ପ୍ରଧାନ, ଉତ୍କଳ ପ୍ରଧାନ ପରିଚାଳନା କରୁଥିଲେ।