ମୁଖ୍ୟ ଖବର

ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ ପ୍ରଥମ ସମୀକ୍ଷା ବୈଠକ: ଶୃଙ୍ଖଳା ଓ ଶିକ୍ଷାଦାନ ଉପରେ ଗୁରୁତ୍ୱ

By Biswaranjan Pattnaik

February 18, 2026

ଅନୁଗୁଳ: ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଡ଼ା. ବସନ୍ତ କୁମାର ସାହୁ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟାଫ୍ କାଉନସିଲ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କଲେଜର ସାମଗ୍ରିକ ବିକାଶ ଓ ସୁପରିଚାଳନା ନେଇ ବ୍ୟାପକ ଆଲୋଚନା କରାଯାଇଛି।

ଅଧ୍ୟକ୍ଷ ଡ଼ା. ସାହୁ ନିଜର ଅଭିଭାଷଣରେ ସ୍ପଷ୍ଟ କରିଛନ୍ତି ଯେ, କଲେଜ ପରିସରରେ କୌଣସି ପ୍ରକାରର ଅଶାନ୍ତି କିମ୍ବା ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଅଧ୍ୟାପକମାନେ କିଭଳି ନିୟମିତ ଭାବେ ଶ୍ରେଣୀ ଗୃହରେ ଶିକ୍ଷାଦାନ କରିବେ ଏବଂ କର୍ମଚାରୀମାନେ ନିଜ ନିଜ କାର୍ଯ୍ୟରେ ସମୟାନୁବର୍ତ୍ତୀ ହେବେ, ସେଥିପ୍ରତି ସେ ସତର୍କ ଦୃଷ୍ଟି ରଖିବେ। ବିଶେଷ କରି ୟୂଜି ଓ ପିଜି ଛାତ୍ରଛାତ୍ରୀଙ୍କ ପାଠପଢ଼ାର ମାନ ବୃଦ୍ଧି ପାଇଁ ସେ ଖୁବଶୀଘ୍ର ସମସ୍ତ ବିଭାଗୀୟ ମୁଖ୍ୟଙ୍କ ଏକ ବୈଠକ ଡାକିବେ ବୋଲି ସୂଚନା ଦେଇଛନ୍ତି।

କଲେଜରେ ଥିବା ସମସ୍ୟାଗୁଡ଼ିକ ଉପରେ ଆଲୋକପାତ କରି ଅଧ୍ୟକ୍ଷ କହିଛନ୍ତି ଯେ, କଲେଜ ପାଇଁ ଅଧିକ ଶ୍ରେଣୀ କୋଠରୀ ଓ ତଳିଆ କର୍ମଚାରୀଙ୍କର ଆବଶ୍ୟକତା ରହିଛି। ଏହା ସହିତ କ୍ୟାମ୍ପସରେ ପରିମଳ ବ୍ୟବସ୍ଥା ଓ ଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରତି ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯିବ। ମହାବିଦ୍ୟାଳୟର ସୁନାମ ବଜାୟ ରଖିବା ସହ ଶିକ୍ଷାଦାନର ପରିବେଶକୁ ସବୁଜ ଓ ସୁନ୍ଦର କରି ଗଢ଼ିତୋଳିବା ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।