ଅନୁଗୁଳ:ଅନୁଗୁଳ ଟାଉନ୍ ପୋଲିସକୁ ମଳିଛି ବଡ଼ ସଫଳତା। ଜିଲ୍ଲାର ବିଭିନ୍ନ ହାଟରୁ ମୋବାଇଲ ଚୋରି କରୁଥିବା ଏକ ୫ ଜଣିଆ ଗ୍ୟାଙ୍ଗକୁ ରବିବାର କାବୁ କରିବାରେ ସଫଳ ହୋଇଛି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ରବିବାର ଅନୁଗୁଳ ସାପ୍ତାହିକ ହାଟରେ ନିମାଇଁ ଚରଣ ମହାପାତ୍ର ପରିବା କିଣିବା ପାଇଁ ଯାଇଥିଲେ। ଏହି ସମୟରେ ତାଙ୍କ ଛାତି ପକେଟରେ ଥିବା ମୋବାଇଲଟି ଚୋରି ହୋଇଥିଲା। ନିମାଇଁ ସଙ୍ଗେ ସଙ୍ଗେ ଦେଖିଲାବେଳକୁ ଏକ ଯୁବକ ତାଙ୍କ ମୋବାଇଲଟିକୁ ନେଇ ଯାଉଛି। ନିମାଇଁ ପାଟି କରିବାରୁ ସେଠାରେ ଥିବା ଲୋକମାନେ ଯୁବକଙ୍କୁ କାବୁ କରିଥିଲେ। ଏହାପରେ ଏହି ଚୋର ଗ୍ୟାଙ୍ଗର ୩ ଜଣଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ।
ନିମାଇଁଙ୍କ ଅଭିଯୋଗରେ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତକରି ଜାଣିବାକୁ ଯାଇଲା ଯେ,ପଶ୍ଚିମବଙ୍ଗରୁ ୪ ତାରିଖରେ ନାବାଳକଙ୍କ ସହ ଅନ୍ୟ ୨ ଯୁବକ ଆସି ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ଗାଁର ବାପି ବିଶ୍ବାଳ ନାମକ ଜଣେ ଅଟୋ ମାଲିକ/ଚାଳକଙ୍କ ପାଖରେ ପହଞ୍ଚିଥିଲେ। ଏହାପରେ ବାପି ଏହି ବେଙ୍ଗଲୀ ଯୁବକମାନଙ୍କୁ ନେଇ ବଅଁରପାଳରେ ରଖାଇଥିଲେ। ସେଠାରେ ହାଟରୁ ମୋବାଇଲ ଚୋରିକରିବାର ଯୋଜନା କରାଯାଇଥିଲା । ଏହି କ୍ରମରେ ସେମାନେ ବାପିଙ୍କ ଅଟୋରେ ଜିଲ୍ଲାର ବିଭିନ୍ନ ସାପ୍ତାହୀକ ହାଟରେ ପହଞ୍ଚି ମୋବାଇଲ ଚୋରି କରୁଥିଲେ।
ବାପିଙ୍କ ସାଥି ତୁରଙ୍ଗ ଗାଁର ଶୁଭମ ବିଶ୍ବଳ ଚୋରମାନଙ୍କ ସହ ହାଟ ଭିତରକୁ ଯାଉଥିଲା। ଚୋରମାନେ ମୋବାଇଲ ଚୋରି କରିବାପରେ ଶୁଭମଙ୍କୁ ଦେଉଥିଲେ। ଶୁଭମ ମୋବାଇଲ ନେଇ ହାଟବାହାରେ ଅଟୋରେ ବସିଥିବା ବାପିଙ୍କୁ ହସ୍ତାନ୍ତର କରୁଥିଲା। ଏହିଭଳିଭାବେ ଏହି ଚୋରମାନେ ୪ଟି ହାଟରେ ଚୋରି କରିବାପରେ ରବିବାର ଅନୁଗୁଳ ହାଟରେ ଧରାପଡ଼ିଥିଲେ। ଏହି ଚୋରମାନଙ୍କଠାରୁ ୨୬ଟି ମୋବାଇଲ ଋ ଅଟୋ ଜବତ କରାଯାଇଛି। ୪ ଅଭିଯୁକ୍ତଙ୍କକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକଙ୍କୁ ବାଲ ସୁଧାର ଗୃହକୁ ପଠାଯାଇଛି।