ଅନୁଗୋଳ: ଲଗାଣ ବର୍ଷା ଯୋଗୁଁ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ସମାକୋଇ ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ବୁରୁକୁନା ପଞ୍ଚାୟତର ବିଭିନ୍ନ ଗ୍ରାମ ଜଳମଗ୍ନ ହୋଇପଡ଼ିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ବୁରୁକୁନା-ମହୀଧରପୁର ରାସ୍ତା ଉପରେ ପ୍ରାୟ ୬ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗତ ୧୦ ଘଣ୍ଟା ଧରି ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଏଥିଯୋଗୁଁ ଛାତ୍ରଛାତ୍ରୀ ଓ ଜରୁରୀ ସେବା ପାଇଁ ଯାଉଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପ୍ରତିବର୍ଷ ବର୍ଷା ଦିନେ ଏଭଳି ସମସ୍ୟା ଦେଖାଦେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସ୍ଥାୟୀ ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦା ବନ୍ୟା ପ୍ରଭାବିତ ଅଞ୍ଚଳରେ ତୁରନ୍ତ ରିଲିଫ ଯୋଗାଇବା ସହ ଏହାର ସ୍ଥାୟୀ ପ୍ରତିକାର ପାଇଁ ଦାବି କରିଛନ୍ତି। ଜଳସ୍ତର ନ କମିଲେ ସ୍ଥିତି ଆହୁରି ଜଟିଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।