ଅନ୍ୟାନ୍ୟ

ନାଲକୋରେ ବାର୍ଷିକ ଫୁଲ ଓ ଫଳ ପ୍ରଦର୍ଶନୀ ଉଦଯାପିତ

By Swagatika Samantray

February 11, 2023

ଅନୁଗୁଳ: ଅନୁଗୁଳ ନାଲକୋ ନଗରଠାରେ ଚାଲିଥିବା ବାର୍ଷିକ ଫୁଲ ଓ ଫଳ ପଦର୍ଶନୀ ଶୁକ୍ରବାର ଉଦଯାପିତ ହୋଇଯାଇଛି। ନାଲକୋ ଉଦ୍ୟାନ ବିଭାଗ ଦ୍ବାରା ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀରେ୧୫୬ ଜଣ ଅଂଶ ଗ୍ରହଣ କରିଥିଲେ। ଏଥିରେ ୫ଶହରୁ ଅଧିକ ଭିନ୍ନ ଭିନ୍ନ ପ୍ରକାରର ଫୁଲ ଓ ଫଳ ପ୍ରଦର୍ଶନ କରାଯାଇଥିଲା। ଏହି ବର୍ଗରେ ବିଭିନ୍ନ ପ୍ରକାରର ଗଛ, ଫୁଲ, ପନିପରିବା ପ୍ରଦର୍ଶନ, ପୁଷ୍ପଗୁଚ୍ଛ ପ୍ରଦର୍ଶନ, ପନିପରିବା କାରୁକାର୍ୟ୍ୟ, ଫୁଲସଜା ଏବଂ ରଙ୍ଗୋଲି ଆଦି ପ୍ରଦର୍ଶିତ ହୋଇଥିଲା। ନାଲକୋନଗରରେ ଏ-ଟାଇପ୍ ଉଦ୍ୟାନ, ବି-ଟାଇପ୍ ଉଦ୍ୟାନ, ସି-ଟାଇପ୍ ଉଦ୍ୟାନ, ଡି-ଟାଇପ୍ ଉଦ୍ୟାନ ଏବଂ ରୁଫ୍ ଟପ୍ ଉଦ୍ୟାନ ଭଳି ବିଭିନ୍ନ ବର୍ଗରେ ଉଦ୍ୟାନ ପ୍ରତିଯୋଗିତା କରାଯାଇଥିଲା। ବଗିଚାକୁ ବିଚାର କରିବା ପାଇଁ ଏବଂ ପୁଷ୍ପ ପ୍ରଦର୍ଶନୀରେ ପ୍ରଦର୍ଶନ ପାଇଁ ସ୍ଥାନୀୟ ସରକାରୀ ସଂସ୍ଥାରୁ ଅଭିଜ୍ଞ ଉଦ୍ୟାନବିତ୍ ଏବଂ ସେହି କ୍ଷେତ୍ରରୁ ଅବସର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରିତ କରାଯାଇଥିଲା। ପୁଷ୍ପ ପ୍ରଦର୍ଶନୀର ୨ୟ ସନ୍ଧ୍ୟାରେ ପୁରସ୍କାର ବିତରଣ ଉତ୍ସବର ଆୟୋଜନ କରାୟାଇଥିଲା। ପୁରସ୍କାର ବିତରଣ ଉତ୍ସବରେ ଅନୁଗୁଳ ବନଖଣ୍ଡ ଅଧିକାରୀ ବିବେକ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଜିଏମ୍(ସାମଗ୍ରୀ) ପିକେ ବିଶ୍ୱାସ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ଇଡି(ଏସ୍ ଆଣ୍ଡ ପି) ଭୀମସେନ ପ୍ରଧାନ, ସିପିପି କାର୍ଯ୍ୟବାହ ଜିଜିଏମ୍ ସୁଧୀର ରଞ୍ଜନ ପଟ୍ଟନାୟକ, ସିପିପି ଜିଜିଏମ୍(ଓ ଆଣ୍ଡ ଏମ୍) ମନୋରଞ୍ଜନ ଆଚାର୍ୟ୍ୟ ଯୋଗଦେଇଥିଲେ। ଚଳିତ ବର୍ଷ ପୁରସ୍କାର ବିଜେତାମାନଙ୍କୁ ଟ୍ରଫି ଏବଂ ବଗିଚା ସାମଗ୍ରୀ ସହିତ ମୋଟ ୧୪୦ଟି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସାଗରିକା ଜେନାଙ୍କୁ କୁଇନ୍ ଅଫ୍ ଦ ସୋ’, ଅମିତାବ ପାଢୀଙ୍କୁ ରନର୍ସ ଅପ୍ ଅଫ୍ ଦ ସୋ’ ଏବଂ ସ୍ୱତା ପଣ୍ଡାଙ୍କୁ ଚାମ୍ପିଅନ୍ ଅଫ୍ ଦ ସୋ’ ଘୋଷଣା କରାଯାଇଥିଲା। ସୂଚନା ଯେ, ଏହି ପୁଷ୍ପ ପ୍ରଦର୍ଶନୀରେ ନାଲକୋନଗର ଏବଂ ସ୍ଥାନୀୟ ଲୋକମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ଉପ ମହାପ୍ରବନ୍ଧକ(ପ୍ରଶିକ୍ଷଣ ଓ ଉଦ୍ୟାନ) ଶୁଭେନ୍ଦୁ କୁମାର ନାୟକ, ସହକାରୀ ମହାପ୍ରବନ୍ଧକ ୟୁକେ ମହାରଣା ଏବଂ ନାଲ୍କୋର ଏସ୍ ଆଣ୍ଡ ପି କମ୍ପ୍ଲେକ୍ସ ଉଦ୍ୟାନ ବିଭାଗର ପ୍ରବନ୍ଧକ(ଉଦ୍ୟାନ କୃଷି) ପିକେ ମଲ୍ଲିକ ପରିଚାଳନା କରିଥିଲେ।