ମୁଖ୍ୟ ଖବର

ଜିଲ୍ଲା କୋଲ ବ୍ଲକ ଅଞ୍ଚଳରେ ହାତୀର ସୁରକ୍ଷା କରାଯିବ

By Biswaranjan Pattnaik

August 21, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲାର କୋଲ ବ୍ଲକ ଅଞ୍ଚଳରେ ବନ୍ୟପ୍ରାଣୀ ବିଶେଷ କରି ହାତୀଙ୍କ ସୁରକ୍ଷା ପାଇଁ ନୂଆ ଯୋଜନା କାର୍ଯ୍ୟକାରୀ କରାଯିବ। ନିକଟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭାରେ ବିସ୍ତୃତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆ ଯାଇଛି। ୱାଇଲଡ଼ ଲାଇଫ ଇନଷ୍ଟିଚ୍ୟୁଟ ଇଣ୍ଡିଆନ ଅଫ ସାଇନ୍ସ ଭଳି ନାମୀ ସଂସ୍ଥାର ସହଯୋଗରେ ଏକ ବିସ୍ତୃତ ବନ୍ୟପ୍ରାଣୀ ସୁରକ୍ଷା ଯୋଜନା ପ୍ରସ୍ତୁତ କରାଯାଇ ଏହାକୁ କାର୍ଯ୍ୟକାରୀ କରାଯିବ। ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା, ଜରପଡ଼ା,କଣୀହା ଆଦି ଅଞ୍ଚଳରେ କୋଇଲା ପାଇଁ ଖୁବ ଶୀଘ୍ର ଜମି ଅଧିଗ୍ରହଣ କରାଯିବ। ଏହି ଅଞ୍ଚଳରେ ଆବଶ୍ୟକ ହେଲେ ଜଙ୍ଗଲ ଜମି ଖଣି ପାଇଁ ଡାଇଭରସନ ହୋଇପାରେ। ଏଣୁ ଏଭଳି କ୍ଷେତ୍ରରେ ସାବଧାନତା ଅବଲମ୍ବନ କରାଯାଇ ଖଣି ଖୋଳା ଯିବ।

ଏଠାରେ ସୂଚନା ଯୋଗ୍ୟ ଯେ, ଉତ୍କଳ ଇ କୋଲ, ରାଧିକାପୁର ଇଷ୍ଟ, ରାଧିକାପୁର ୱେଷ୍ଟ, ନୈନି କୋଲ ବ୍ଲକ ଆଦି ଆବଣ୍ଟିତ ହୋଇ ସାରିଛି। କେବଳ କୋଲ ବ୍ଲକ ଏରିଆ ନୁହଁ ବନ୍ତଳାରୁ ଟିକରପଡ଼ା, ଡେରଜଙ୍ଗ, ମଝିକା ଆଦି ଅଞ୍ଚଳରେ ଏବେ ବାରହା ଏବଂ ବଣୁଆ ଶୁଆ ଧାନ ,ପରିବା ଠାରୁ ଆରମ୍ଭ କରି ମକା ପର୍ଯ୍ୟନ୍ତ ଫସଲ ନଷ୍ଟ କରୁଛନ୍ତି। ଏସବୁ ଅଞ୍ଚଳରେ ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷ ମଧ୍ୟ ଦେଖା ଦେଇଛି। ଏଥିପାଇଁ ମଧ୍ୟ ଜଙ୍ଗଲ ବିଭାଗ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରି ଚାଷୀ ଅସନ୍ତୋଷକୁ ଦୂର କରିବା ଉଚିତ।