ମୁଖ୍ୟ ଖବର

ତାଳଚେରରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ: ବାସି ଖାଦ୍ୟ ଜବତ, ୧୦ ହଜାରରୁ ଊର୍ଦ୍ଧ୍ୱ ଜୋରିମାନା

By Angul TV Bureau

May 07, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଖାଦ୍ୟ ନିରାପତା ବିଭାଗ ପକ୍ଷରୁ ଏକ ବଡ଼ଧରଣର ଅତର୍କିତ ଚଢ଼ାଉ କରାଯାଇଛି। ସ୍ଥାନୀୟ ପୋଲିସର ସହାୟତାରେ ବିଭାଗୀୟ ଅଧିକାରୀ ସୁମିତ ସୌରଭ ପରିଡ଼ା, ହରପ୍ରିୟା ବେହେରା ଓ ଶ୍ରୀବନ୍ତ ଖଣ୍ଡଗିରି ବିଭିନ୍ନ ହୋଟେଲ, ଢାବା, ରେଷ୍ଟୁରାଂଟ ଏବଂ ଲସି ଦୋକାନ ଗୁଡ଼ିକରେ ଯାଞ୍ଚ କରିଥିଲେ। ଏହି ସମୟରେ ଅନେକ ସ୍ଥାନରେ ବାସି ଖାଦ୍ୟ ପଦାର୍ଥ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା, ଯାହାକୁ ଅଧିକାରୀମାନେ ତୁରନ୍ତ ଫିଙ୍ଗି ଦେଇଥିଲେ। ଏହି ନିୟମ ଉଲ୍ଲଂଘନ ଅଭିଯୋଗରେ ଅସାଧୁ ବ୍ୟବସାୟୀଙ୍କ ଠାରୁ ମୋଟ ୧୦ ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି।

​ବିଶେଷ କରି ଲସିରେ ବିଭିନ୍ନ ପ୍ରକାରର ଅସ୍ୱାସ୍ଥ୍ୟକର ରାସାୟନିକ ପଦାର୍ଥ ମିଶାଯାଉଥିବା ନେଇ ଅଭିଯୋଗ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ବ୍ୟବସାୟୀମାନେ ଏପରି କରୁଥିବା ଜଣାପଡ଼ିଛି। ତେବେ ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଯଦି ଏହିଭଳି ଚଢ଼ାଉ ବାରମ୍ବାର କରାଯାଏ, ତେବେ ଅସାଧୁ ବ୍ୟବସାୟୀମାନେ ଏଭଳି କାର୍ଯ୍ୟ କରିବାକୁ ଆଉ ସାହସ କରିବେ ନାହିଁ। ଏହି ପଦକ୍ଷେପ ଦ୍ୱାରା ସାଧାରଣ ଗ୍ରାହକମାନେ ଉପକୃତ ହେବେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏହି କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି।