ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତୁରଙ୍ଗ ଗ୍ରାମର ଦେହୁରୀ ସାହିରେ ଜଙ୍ଗଲୀ ହାତୀ ପଶି ଆସିଥିବାରୁ ଲୋକେ ଆତଙ୍କିତ ଅଛନ୍ତି।
ସୂଚନାଯୋଗ୍ୟ ଯେ ଗତ କାଲି ବିଳମ୍ବିତ ରାତିରେ ଆଙ୍କୁଲା ଆମ୍ବ ତୋଟା ଦିଗରୁ ତୁରଙ୍ଗ ଦେହୁରୀ ସାହି ବାଉଁଶ ପୋଖରୀ ନିକଟସ୍ଥ ବଗିଚାକୁ ହାତୀ ପଶି ଆସିଥିଲେ। ଆଜି ସକାଳେ ଗାଁ ଲୋକ ଗାଧୋଇବାକୁ ଯିବା ବେଳେ ହାତୀଙ୍କ ପାଦ ଚିହ୍ନ ଦେଖିଥିଲେ। ପରେ ଜାଣିବାକୁ ପାଇଥିଲେ ଯେ ୩୫ ପଟ ହାତୀ ସେଠାରେ ଅଛନ୍ତି। ଏହା ଦେଖି ଗ୍ରାମବାସୀ ଭୟଭୀତ ହୋଇ ଯାଇଥିଲେ। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିଲେ। କାଳେ ଜଙ୍ଗଲୀ ହାତୀ ଗ୍ରାମ ଭିତରକୁ ପଶି ଆସିବେ ସେଥିପାଇଁ ସଜାଗ ହୋଇ ରହିଥିଲେ। ତେବେ ଆଜି ସନ୍ଧ୍ୟା ସୁଦ୍ଧା ବନ ବିଭାଗ ଆଙ୍କୁଲା ଆମ୍ବ ତୋଟା ପଟକୁ ହାତୀଙ୍କୁ ଘଉଡ଼ାଇ ଦେଇଥିବା ଜଣାଯାଇଛି।