ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ମାନବିକତାର ଏକ ଉଦାହରଣ ଦେଖିବାକୁ ମିଳିଛି। ଜେ.ଏସ୍.ପି.ଏଲ୍ (JSPL) ଗେଟ୍ ସମ୍ମୁଖ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିବା ଏକ ମାଙ୍କଡ଼ ଛୁଆକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଛି।
ଆଜି ଅପରାହ୍ନରେ ଜଣେ ସହୃଦୟ ବ୍ୟକ୍ତି ନିଶା – ଜେ.ଏସ୍.ପି.ଏଲ୍ ଗେଟ୍ ନିକଟସ୍ଥ ରାସ୍ତାରେ ଏହି ଶିଶୁ ମାଙ୍କଡ଼ଟିକୁ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ସେ ମାଙ୍କଡ଼ଟିକୁ ଧରି ଅନୁଗୁଳ ରେଞ୍ଜ ଅଫିସରେ ପହଞ୍ଚାଇଥିଲେ। ରେଞ୍ଜ ଅଫିସର କର୍ମଚାରୀମାନେ ତୁରନ୍ତ ଘଟଣାର ଗୁରୁତ୍ୱ ଅନୁଭବ କରି ପ୍ରାଣୀ ଚିକିତ୍ସା ବିଭାଗର ମୋବାଇଲ୍ ୟୁନିଟ୍କୁ ସମ୍ପର୍କ କରିଥିଲେ।
ଖବର ପାଇ ମୋବାଇଲ୍ ୟୁନିଟ୍ ଘଟଣାସ୍ଥଳରେ ପହଞ୍ଚି ମାଙ୍କଡ଼ଟିର ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିଲେ। ଫରେଷ୍ଟର ଲିଜାଲିନ୍ ସାହୁ, ପ୍ରାଣୀ ଚିକିତ୍ସକ ଡାକ୍ତର ପି.କେ. ସିଂହ, ମୁନା ସାହୁ ଓ ଶଙ୍କର ଦାସ ପ୍ରମୁଖ ହାତୀ ସ୍କ୍ୱାଡର ସଦସ୍ୟ ଉପସ୍ଥିତ ଥିଲେ।