ମୁଖ୍ୟ ଖବର

ଅନୁଗୁଳ ସହରରେ ଦନ୍ତା ଆତଙ୍କ: ହାତୀ ଆକ୍ରମଣରେ ଫରେଷ୍ଟର ଗୁରୁତର

By Angul TV Bureau

May 10, 2026

ଅନୁଗୁଳ: ଅନୁଗୁଳ ସହରରେ ଦନ୍ତା ହାତୀର ଉତ୍ପାତ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି। ସୌଭାଗ୍ୟନଗର ଓ ହୋମଗାର୍ଡ ଅଫିସ ଗ୍ରାଉଣ୍ଡରେ ହାତୀ ଆଶ୍ରୟ ନେବା ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ହାତୀକୁ ଜଙ୍ଗଲକୁ ଘଉଡ଼ାଇବା ସମୟରେ ତୁରଙ୍ଗ ଗାଁ ନିକଟରେ ଦନ୍ତାଟି ହଠାତ୍ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା।

ଏହି ଆକ୍ରମଣରେ ଫରେଷ୍ଟର ରଞ୍ଜନ ପ୍ରଧାନ ଗୁରୁତର ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଡାହାଣ ହାତଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବର୍ତ୍ତମାନ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

ସହର ମଧ୍ୟରେ ହାତୀ ବୁଲୁଥିବାରୁ ଜନସାଧାରଣଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହେବା ସହ ହାତୀ ଉପରେ କଡ଼ା ନଜର ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ସ୍ଥିତି ଚିନ୍ତାଜନକ ଥିବାରୁ ଅଞ୍ଚଳବାସୀ ଭୟଭୀତ ଅଛନ୍ତି।