ମୁଖ୍ୟ ଖବର

ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ

By Angul TV Bureau

November 19, 2021

ଅନୁଗୁଳ: ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ବିଜେପିରେ ସାମିଲ ହୋଇଛନ୍ତି । ଶୁକ୍ରବାର ବିଜେପି ରାଜ୍ୟ ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ଶତାଧିକ ବିଜେଡି କର୍ମୀ ବିଜେପିରେ ମିଶିଛନ୍ତି । କିଛିଦିନ ତଳେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ସୂଚନାଥାଉ କି, ସେ ୪ଥର ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଦୁଇଥର ଆଠମଲ୍ଲିକକରୁ ନିର୍ବାଚିତ ହୋଇଥିବା ବେଳେ ଦୁଇଥର ବୀରମହାରାଜପୁରରୁ ବିଜୟୀ ହୋଇଥିଲେ । ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ସମୟରେ ସେ ମନ୍ତ୍ରୀ ମଧ୍ୟ ହୋଇଥିଲେ । ଗତ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା । ଏପରିକି କୌଣସି ଦଳୀୟ ପଦପଦବୀରେ ତାଙ୍କୁ ରଖାଯାଇନଥିଲା । ଫଳରେ ସେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡିଥିଲେ । ଏବେ ସେ ବିଜେପି ପାଇଁ କାମ କରିବେ । ସଞ୍ଜୀବ ସାହୁ ୨୦୦୩ ମସିହାରେ ପ୍ରଥମେ ବିରମହାରାଜପୁର ଆସନରୁ ଜିତିଥିଲେ। ୨୦୦୫ ମସିହାରୁ ୨୦୦୮ ଫେବୃୟାରୀ ପର୍ଯ୍ୟନ୍ତ ସେ ପଞ୍ଚାୟତରାଜ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ। ଏହାବାଦ ସ୍କୁଲ, ଗଣଶିକ୍ଷା ଓ ବାଣିଜ୍ୟ ଓ ପରିବହନ ବିଭାଗରେ ୨୦୦୮-୨୦୦୯ ଓ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ନିର୍ବାଚନରେ ସଞ୍ଜୀବ ସାହୁ ଆଠମଲ୍ଲିକ  ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ।