ମୁଖ୍ୟ ଖବର

ଶ୍ବଶୁର ଘରେ ଜ୍ୱାଇଁର ନାରକୀୟ କାଣ୍ଡ, କକା ଶ୍ବଶୁରକୁ ଛୁରୀ ଭୁସି ହତ୍ୟା

By Angul TV Bureau

November 27, 2025

ଅନୁଗୁଳ: ଶ୍ବଶୁର ଘରେ ଜ୍ୱାଇଁର ନାରକୀୟ କାଣ୍ଡ। କକା ଶ୍ବଶୁରକୁ ଛୁରୀ ଭୁସି ହତ୍ୟା। ଝିଆରୀ ଓ ଜ୍ବାଇଁଙ୍କ ଝଗଡ଼ା ବେଳେ ବୁଝାଇବାକୁ ଯାଇ ଗଲା କକା ଶ୍ବଶୁରଙ୍କ ଜୀବନ। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଫୁଲପଡ଼ା ଅଞ୍ଚଳରେ ଏହି ଜଘନ୍ୟ କାଣ୍ଡ ଘଟିଛି।

ସୂଚନା ମୁତାବକ, ସ୍ଥାନୀୟ ବଅଁରପାଳ ବ୍ଲକ ଫୁଲପଡ଼ା ଗ୍ରାମର ସ୍ୱର୍ଗତ ବାବୁଲି ଦାସଙ୍କ ଝିଅ ମାନିନୀ ଦାସ (୨୯) କିଛି ବର୍ଷ ପୂର୍ବେ ଠାକୁରଗଡ଼ ଥାନା ବନମାଳୀପୁର ଗ୍ରାମର ପ୍ରବୀର ବେହେରାଙ୍କୁ ବିବାହ କରିଥିଲେ। ବାହାଘର ଦିନଠୁ ପ୍ରବୀର, ମାନିନୀକୁ ମାରପିଟ କରିଆସୁଥିଲେ। ତେବେ ଆଜି ମଧ୍ୟ ପ୍ରବୀର ମାରପିଟ କରିବାରୁ ମାନିନୀ ତାଙ୍କ ଛୁଆକୁ ଧରି ବାପ ଘର ଫୁଲପଡ଼ାକୁ ଚାଲି ଆସିଥିଲେ। ତାଙ୍କୁ ବୁଝାଇବାକୁ ପ୍ରବୀର ବି ଆସିଥିଲା। ବାପଘରେ ଉଭୟଙ୍କ ଝଗଡ଼ା ହେବାରୁ କକା ବୀରେନ ଦାସ ଉଭୟଙ୍କୁ ବୁଝାଇଥିଲେ। ଏହି ସମୟରେ ପ୍ରବୀର ପାଖରେ ଥିବା ଏକ ଛୁରୀରେ କକା ଶ୍ବଶୁରଙ୍କୁ ଆକ୍ରମଣ କରିଥିଲା।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ପୋଲିସରେ ଅଭିଯୋଗ ପରେ ବଅଁରପାଳ ପୋଲିସ ଆସାମୀ ପ୍ରବୀରକୁ ଗିରଫ କରି ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ ଯେ ମୃତ ବୀରେନ ଦାସ ଫୁଲପଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ। ଏଣୁ ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।