ମୁଖ୍ୟ ଖବର

ଅନୁଗୁଳ ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By Angul TV Bureau

December 24, 2023

ଅନୁଗୁଳ: ଆଜି ଅନୁଗୁଳ ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଫୁଟବଲ ଫର୍ ସ୍କୁଲ ଅଧୀନରେ ଫୁଟବଲ ବିତରଣ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏ ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ଗୋଟିଏ ପିଲାର ପାଣ୍ଡିତ୍ୟ, ଦକ୍ଷତା ଓ ଗୁଣ କେଉଁ ବୟସରେ ବଢିବ, ତାହା କହିହେବ ନାହିଁ ବରଂ ନବୋଦୟ ବିଦ୍ୟାଳୟ ଦେଶର ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଯେଉଁ ଜୀବନ ମୂଲ୍ୟ ଦେଉଛି, ତାହା ଆଦର୍ଶ ଓ ମହତ୍ତ୍ୱପୂର୍ଣ୍ଣ ବୋଲି କହିଛନ୍ତି।

ସ୍କୁଲର ପୁରାତନ ଛାତ୍ର ସଂସଦର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯୮୭ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟ ଜିଲ୍ଲାର ଗରିବ ଓ ମଧ୍ୟବିତ୍ତ ବର୍ଗର ଛାତ୍ରଛାତ୍ରୀ ମାନେ ପାଠ ପଢୁଛନ୍ତି। ଏହି ସ୍କୁଲ ବଣମଲ୍ଲୀଙ୍କ ପ୍ରତିଭାକୁ ପ୍ରସ୍ଫୁଟିତ କରିବାର ଏକ ପ୍ରୟୋଗଶାଳା ହୋଇଛି। ଆଜି ୬ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟବରାଦରେ ଶିଳାନ୍ୟାସ ହୋଇଥିବା ୭୫୦ ସିଟ୍ କ୍ଷମତା ବିଶିଷ୍ଟ ବହୁମୁଖୀ ସଭାଗୃହ ଏବଂ ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟ୍ସ କମ୍ପଲେକ୍ସ ଛାତ୍ରଛାତ୍ରୀଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ବିକାଶ କରିବାରେ ବେଶ୍ ଉପଯୋଗୀ ହେବ ବୋଲି କହିଥିଲେ।

ପରେ ଫିଫାର ଫୁଟବଲ୍ ଫର୍ ସ୍କୁଲ ଅଧୀନରେ ଛାତ୍ରଛାତ୍ରୀଙ୍କୁ ଫୁଟବଲ ବିତରଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିଲେ ବିଦ୍ୟାଳୟରେ ଖେଳ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷା ବ୍ୟବସ୍ଥା ପାଇଁ ବହୁତ ଲାଭଦାୟକ। ଫିଫା ସମଗ୍ର ବିଶ୍ୱରେ ୪୦ ଲକ୍ଷ ଫୁଟବଲ ବିତରଣ କରୁଥିବା ବେଳେ କେବଳ ଭାରତରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନ (ଏଆଇଏଫଏଫ) ସହଯୋଗରେ ୧ ଲକ୍ଷ ୫୫ ହଜାର ସ୍କୁଲରେ ୮୨ ଲକ୍ଷ ୪ ହଜାର ୨୭୯ ଫୁଟବଲ ବିତରଣ କରାଯାଉଛି । ଯେଉଁଥିରେ ଫିଫା ପ୍ରାୟ ୧୧ ଲକ୍ଷ ୧୫ ହଜାରରୁ ଊର୍ଦ୍ଧ୍ୱ ଫୁଟବଲ ଦେଉଛି। ଅନୁଗୁଳରେ ମୋଟ ୧୬୯ଟି ସ୍କୁଲରେ ପ୍ରାୟ ୯୦୦ଟି ଫୁଟବଲ ବିତରଣ କରାଯିବ।

ସେ କହିଛନ୍ତି ଯେ ଚମ୍ପତ୍ତିମୁଣ୍ଡାର ସମୃଦ୍ଧମୟ ଇତିହାସ ଅଛି। ଏଠାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀ ମୌଳିକ ଶିକ୍ଷାର ବ୍ୟବହାରିକ ରୂପ ଦେଇଥିଲେ।

ଉଲ୍ଲେଖନୀୟ ଯେ, ପିଏମ୍ ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟରେ ଶିଳାନ୍ୟାସ ହୋଇଥିବା ବହୁମୁଖୀ ସଭାଗୃହ ପାଇଁ ୫.୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହା ବ୍ୟତୀତ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ଇଣ୍ଟିଗ୍ରଟେଡ ସ୍ପୋର୍ଟ୍ସ କମ୍ପଲେକ୍ସରେ ବାସ୍କେଟ୍ ବଲ୍, ଟେନିସ, ବ୍ୟାଡମିଣ୍ଟନ, ଭଲିବଲ୍ ଖେଳିବା ଭଳି ଅତ୍ୟାଧୁନିକ ସୁବିଧା ପ୍ରଦାନ କରାଯିବ।