ମୁଖ୍ୟ ଖବର

ବଇଣ୍ଡା ଅଞ୍ଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟର ନୂଆ ଅଧ୍ୟାୟ; ପାରା ମେଡିକାଲ୍ କଲେଜ ପାଇଁ ପଡ଼ିଲା ଭିତ୍ତିପ୍ରସ୍ତର

By Angul TV Bureau

April 30, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ବଇଣ୍ଡା ଛକ ହାଟପଡ଼ିଆଠାରେ ବୁଧବାର ଏକ ନୂତନ ପାରା ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଶୁଭ ଭୂମିପୂଜା ଓ ଗୃହପୂଜା ସମ୍ପନ୍ନ ହୋଇଛି। ଭୁବନେଶ୍ୱରସ୍ଥିତ ପ୍ରତିଷ୍ଠିତ ‘ଡିଭାଇନ୍ କଲେଜ୍ ଅଫ୍ ହେଲ୍ଥ ସାଇନ୍ସ’ (Divine College of Health Science)ର ଏକ ଶାଖା ଭାବରେ ଏହି ଶିକ୍ଷାନୁଷ୍ଠାନ କାର୍ଯ୍ୟ କରିବ। ଏଠାରେ +୨ ପାସ୍ କରିଥିବା ଉଭୟ କଳା ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ପାରା ମେଡିକାଲ୍ ତାଲିମ ଗ୍ରହଣ କରି ନିଜକୁ ବୃତ୍ତିଗତ କ୍ଷେତ୍ରରେ ସ୍ୱାବଲମ୍ବୀ କରିପାରିବେ।

​ଅନୁଷ୍ଠାନର ସଂଯୁକ୍ତ ସତ୍ତ୍ୱାଧିକାରୀ ଡ. ସୁଶ୍ରୀ ଦୀପିକା ମିଶ୍ର ଓ ଅରୁଣ କୁମାର ଦାଶଙ୍କ ତତ୍ତ୍ୱାବଧାନରେ ପୁରୋହିତ ପ୍ରକାଶ ମିଶ୍ର ଶାସ୍ତ୍ରୀୟ ବିଧି ଅନୁସାରେ ଗୃହପୂଜା ଓ ଇଷ୍ଟପୂଜା ସମ୍ପାଦନ କରି ଏହାର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅଞ୍ଚଳରେ ସ୍ୱାସ୍ଥ୍ୟ ଶିକ୍ଷାର ବିକାଶ ନେଇ ବେଶ୍ ଉତ୍ସାହ ପ୍ରକାଶ ପାଇଛି।

​ଏହି ପୂଜୋତ୍ସବରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ସର୍ବଶ୍ରୀ ନିରଞ୍ଜନ ଦାଶ, କୃଷ୍ଣ ଚନ୍ଦ୍ର ପ୍ରଧାନ, ବିଜୟ ଚନ୍ଦ୍ର ତ୍ରିପାଠୀ, ଘନଶ୍ୟାମ ସାହୁ, ଗଣପତି ସ୍ୱାଇଁ, ନିତ୍ୟାନନ୍ଦ ବାରିକ, ଅନ୍ତର୍ଯ୍ୟାମୀ ପାତ୍ର, ଗିରିଶ ଚନ୍ଦ୍ର ବେହେରା, ରଞ୍ଜିତା ମିଶ୍ର, ପଙ୍କଜିନୀ ମିଶ୍ର, ଡ. ରମେଶ ଚନ୍ଦ୍ର ମିଶ୍ର ଓ ବୃନ୍ଦାବନ ପ୍ରଧାନଙ୍କ ସମେତ ୫୦ରୁ ଅଧିକ ସ୍ଥାନୀୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ବଇଣ୍ଡା ଭଳି ଏକ ପ୍ରମୁଖ ସ୍ଥାନରେ ଏହି କଲେଜ ପ୍ରତିଷ୍ଠା ହେବା ଫଳରେ ସ୍ଥାନୀୟ ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ଆଶା କରାଯାଉଛି।