ମୁଖ୍ୟ ଖବର

ଲିଟିଲ ହାର୍ଟସ ସ୍କୁଲର ପ୍ରତିଷ୍ଠାତ୍ରୀଙ୍କ ପରଲୋକ

By Biswaranjan Pattnaik

January 22, 2025

ଅନୁଗୁଳ: ଲିଟିଲ ହାର୍ଟସ ଟଡଲର୍ସ ଏକାଡେମୀର ପ୍ରତିଷ୍ଠାତ୍ରୀ ଜ୍ୟୋତି ଗୋହିଲଙ୍କ ଆଜି ସକାଳ ୯ ଟା ସମୟରେ ହୃଦଘାତରେ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ତାଙ୍କ ବାସ ଭବନରେ ତାଙ୍କୁ ହୃଦଘାତ ହୋଇଥିଲା। ଘର ପାଖ ଏକ ଘରୋଇ ହସ୍ପିଟାଲ ରେ ତାଙ୍କୁ ଭର୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା।୨୦୨୧ ରେ ସ୍ୱାମୀ ହେମନ୍ତ ଗୋହିଲଙ୍କ କରୋନାରେ ପରଲୋକ ଘଟିଥିଲା। ନବେ ଦଶକରେ ଜ୍ୟୋତି ଅନୁଗୁଳ ଶିମିଳିପଡ଼ାରେ ରହି ନିଜ ସଂଘର୍ଷମୟ ଜୀବନ ଆରମ୍ଭ କରିଥିଲେ। ସ୍ୱାମୀ ଠିକାଦାରୀରେ ବିଫଳ ହେବା ପରେ ଜ୍ୟୋତି ପ୍ରଥମେ ତିନୋଟି ପିଲାଙ୍କୁ ନେଇ ଏକ ପ୍ଲେ ସ୍କୁଲ ଖୋଲିବାର ସ୍ୱପ୍ନ ଦେଖିଥିଲେ। ଅଭାବ ଅନଟନ ମଧ୍ୟରେ ଗୋହିଲ ଦମ୍ପତି ନିଜ ଚେଷ୍ଟା, ପରିଶ୍ରମ, ଶୃଙ୍ଖଳା ଓ ସାମାଜିକ ଅଙ୍ଗିକାରବଦ୍ଧତା ପ୍ରଦର୍ଶନ କରି ଗତ ୨୫ ବର୍ଷ ଭିତରେ ସ୍କୁଲର ପିଲା ସଂଖ୍ୟା ୩ ହଜାରରୁ ଅଧିକ କରିସାରିଥିଲେ। ସ୍କୁଲର ସୁନାମକୁ ଏକ ଇର୍ଷଣୀୟ ସ୍ତରକୁ ନେବାରେ ଗୋହିଲ ଦମ୍ପତିଙ୍କ ପ୍ରୟାସ ସବୁ ସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଥିଲା। ଅନେକ ଗରିବ ଅସହାୟ ପିଲାଙ୍କୁ ସେ ମାଗଣାରେ ଶିକ୍ଷା ଦାନ କରୁଥିଲେ। ସରକାରୀ ସ୍କୁଲରେ ଖାତା, କଲମ, ପେନସିଲ, ଜ୍ୟାମିତି ବାକ୍ସ ବାଣ୍ଟୁଥିଲେ। କୁଇଓ ଜାମୁନାଳି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ସମସ୍ତ ସାହାଯ୍ୟ କରୁଥିଲେ। କରଡ଼ାଗାଡ଼ିଆ ଶ୍ମଶାନର ଉନ୍ନତିକରଣ ପାଇଁ ସେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ। ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରାଯାଇଛି। ସ୍ୱାମୀଙ୍କ ମୃତ୍ୟୁ ପରେ ଉପଯୁକ୍ତ ଉତ୍ତରାଧିକାରୀଙ୍କ ଅଭାବ ହେତୁ ୨୦୨୪ ରେ ସ୍କୁଲର ପରିଚାଳନା ଦାୟିତ୍ୱ ଓଡ଼ିଏମ ଗ୍ରୁପକୁ ଦେଇ ଅନୁଗୁଳ ଛାଡିଥିଲେ।