ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୁକୁରପେଟା ଗାଁରେ ଆଇନଜୀବୀଙ୍କୁ ମାଡ଼ ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଆଇନଜୀବୀ ଶୋଭିତ ଆଚାର୍ଯ୍ୟଙ୍କ ଅଭିଯୋଗକୁ ଭିତ୍ତିକରି ଛେଣ୍ଡିପଦା ଥାନା କେସ ନଂ୫୯୦/୨୨ରେ ମାମଲା ରୁଜୁ କରିବା ସହିତ ୧୫ଜଣଙ୍କୁ ଅଭିଯୁକ୍ତ ଘୋଷିତ କରିଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି।
ସୂଚନା ଅନୁସାରେ, ରବିବାର ଅପରାହ୍ନରେ ଅନୁଗୁଳର ଆଇନଜୀବୀ ଶୋଭିତ ଆଚାର୍ଯ୍ୟ କୁକୁରପେଟାର ମହକିଲ ଅନିଲ ସାହୁଙ୍କ ଘରକୁ ଯାଇଥିଲେ। ସେଠାରେ ଅନିଲଙ୍କ ପ୍ରଥମ ସ୍ତ୍ରୀର ଯୌତୁକ ସାମଗ୍ରୀକୁ ପୋଲିସ ଉପସ୍ଥିତିରେ କଢା ଯାଉଥିବା ବେଳେ ଗ୍ରାମର ପୁରୁଷ ଓ ମହିଳାମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ସେମାନେ ହତ୍ୟା ଉଦ୍ୟମ କରିବା ସହ ଶୋଭିତଙ୍କ ପକେଟରୁ ୧୧ ହଜାର ଟଙ୍କା ଓ ବେକରୁ ସୁନାଚେନକୁ ଛିଣ୍ଡାଇ ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତିକରି ଛେଣ୍ଡିପଦା ଥାନା ପୋଲିସ ମାମଲା ରୁଜୁ କରି ମମତା ସାହୁ, ଭାରତୀ ନାଏକ, ଧୀରେନ ଗଡନାୟକ ଓ ସଞ୍ଜୟ ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।