ମୁଖ୍ୟ ଖବର

ଅନୁଗୁଳରେ ସେକ୍ସ ରାକେଟ୍ ଚଳାଉଥିବା ୪ ଗିରଫ, ଅନ୍ୟମାନଙ୍କୁ ଖୋଜୁଛି ପୁଲିସ

By Angul TV Bureau

March 22, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଦୁର୍ଗାବିହାର ଅଞ୍ଚଳ‌ରେ ସେକ୍ସ ରାକେଟ୍ ଠାବ ହେବା ପରେ ପୁଲିସ ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅନୁଗୁଳ ଉପକଣ୍ଠ କୁରୁଡୋଲର ସୁଧୀର ସାହୁ(୨୮), କାମାକ୍ଷାନଗରର ସୁମନ ଷେଣ୍ଢ(୨୮), ନିଶା ଥାନା ଗୋଳାବନ୍ଧ ଗାଁର ଶୁଭମ ବିଶ୍ବାଳ(୨୨) ଓ ଲିଙ୍ଗରାଯୋଡ଼ିର ଟୁକୁ ଓରଫ ଜଗତଜୀବନ ପଟ୍ଟନାୟକ(୪୪)।

ସୂଚନା ଅନୁସାରେ, ଗୁରୁବାର ରାତିରେ ଝାଡ଼ଖଣ୍ଡର ଜଣେ ଯୁବତୀ(୨୬)ଙ୍କୁ ଅନୁଗୁଳର ସୁଧୀର ନାମକ ଜଣେ ଯୁବକ ଆଣି ତାଙ୍କ ଘରେ ରଖିଥିଲେ। ସେହି ରାତିରେ ୬ ଜଣ ଯୁବକଙ୍କୁ ସେହି ଯୁବତୀଙ୍କ ପାଖକୁ ପଠାଇଥିଲେ। ସମସ୍ତେ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିଥି‌ଲେ। ପରେ ସୁଧୀର ନିଜେ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଚାହିଁଥିଲେ।

କିନ୍ତୁ ଯୁବତୀ ଜଣଙ୍କ ଟଙ୍କା ମାଗିବାରୁ ସେମାନଙ୍କ ଭିତରେ ବିବାଦ ଆରମ୍ଭ ହୋଇଥିଲା। ଏହି ସମୟରେ ସୁଧୀର ତାଙ୍କୁ ଠେଲି ଦେବାରୁ ସେ ତଳେ ପଡ଼ି ଯାଇ ଆହତ ହୋଇଥିଲେ। ପରେ ଯୁବତୀଜଣଙ୍କ ସେଠାରୁ ଚାଲି ଯାଇ ନିକଟସ୍ଥ ଏକ ଘରେ ଆଶ୍ରୟ ନେଇଥିଲେ। ଆଜି ଏଥିନେଇ ଅନୁଗୁଳ ଥାନାରେ ସେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଏଥିନେଇ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ମିଳିବାରୁ ସେମାନଙ୍କ ଡାକ୍ତରୀ ମାଇନା କରାଯିବା ପରେ ୪ ଜଣଙ୍କୁ ଗିରଫ କରାଯାଇଛି।