ଘଟଣା ଓ ଦୁର୍ଘଟଣା

ଟାୱାର ସ୍ଥାପନ ନାମରେ ଅଢ଼େଇ ଲକ୍ଷ ଠକେଇ,ଜଣେ ଗିରଫ

By Sanjeeb Biswal

July 10, 2021

ଅନୁଗୁଳ : ଜମିରେ ଟାଓ୍ବାର୍ ଲଗାଇବା ନାମରେ ଅଢ଼େଇ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ତାଳଚେର କୋଲିୟରୀ ପୁଲିସ ଅଭିଯୁକ୍ତକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ତାଳଚେର ଥାନା ଅନ୍ତର୍ଗତ କଣ୍ଢାଳ ଗ୍ରାମର ଅଜିତ କୁମାର ପ୍ରଧାନଙ୍କଠାରୁ ବନ୍ତଳା ଥାନା ଅନ୍ତର୍ଗତ ହମାବିରା ଗ୍ରାମର ସୁମନ୍ତ ସାହୁ ୨୦୧୮ ମସିହାରେ ଜମିରେ ଟାଓ୍ବାର ଲଗାଇବା ପାଇଁ କହି ଅଢ଼େଇ ଲକ୍ଷ ଟଙ୍କା ନେଇଥିଲା। ଅଦ୍ୟାବଧି ଟାୱାର ଲାଗିବା ତ ଦୂରର କଥା ବାରମ୍ବାର ମାଗିବା ସତ୍ତ୍ବେ ଟଙ୍କା ଫେରାଇ ନଥିଲା। ସୁମନ୍ତଙ୍କ ସହ ଯୋଗାଯୋଗ ଉଦ୍ୟମ କରି ବିଫଳ ହେବା ଓ ଟଙ୍କା ମାଗି ଅତିଷ୍ଠ ହେଲା ପରେ ଠକେଇରେ ପଡ଼ିଥିବା ଅଜିତ ଜାଣି ପାରିଥିଲେ । ଏ ନେଇ ତାଳଚେର କୋଲିୟରୀ ଥାନାରେ ଲିଖ ଅଭିଯୋଗ କରିଥିଲେ । ତେବେ ନିଜକୁ ଏକ ଦୈନିକ ଖବରକାଗଜର କଟକ/ଭୁବନେଶ୍ୱରର ସହର ପ୍ରତିନିଧି ବୋଲି ପରିଚୟ ଦେଇ ସେ ଏହି ଠକେଇ କରିଥିବାର ପୁଲିସ ସୂଚନା ଦେଇଛି। ମାତ୍ର ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ସୁମନ୍ତଙ୍କ ନିକଟରୁ ପୁଲିସ ସାମ୍ବାଦିକ ପରିଚୟପତ୍ର ଜବତ କରିଥିଲା ବେଳେ ଏହା ନକଲି ବୋଲି ପ୍ରକାଶ କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।