ମୁଖ୍ୟ ଖବର

ରେଳ ବିଭାଗରେ ନିଯୁକ୍ତି ଦେବା ନାଁରେ ୪୩ ଲକ୍ଷ ଟଙ୍କାର ଠକେଇ

By Angul TV Bureau

July 20, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗାଁର ଜଣେ ଯୁବତୀଙ୍କ ସହ ୧୫ ଜଣଙ୍କୁ ରେଳ ବିଭାଗରେ ନିଯୁକ୍ତି ଦେବାକୁ କହି ୪୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ ହୋଇଛି।

ସୂଚନା ମୁତାବକ, ୨୦୧୯ ସେପ୍ଟେମ୍ବର ମାସରେ ମହିଧରପୁରର ରାଜେଶ ନାଏକ ଓ ଭୁବନେଶ୍ବର ଝାରପଡ଼ା ଅଞ୍ଚଳର ରଫିଉଦିନ ଖାନ୍ ଗୋତମରା ଗାଁର ନିରଞ୍ଜନ ବରାହଙ୍କୁ ବିଶ୍ବସ ଜନ୍ମାଇ ତାଙ୍କ ଭାଣେିଜି ସନ୍ଧ୍ୟାରାଣୀ ସିଂହଙ୍କୁ ମତ୍ସ୍ୟ ବିଭାଗରେ ନିଯୁକ୍ତି କରାଇ ଦେବାକୁ କହି ୬୦ ହଜାର ଟଙ୍କା ନେଇଥିଲେ।ଏହାର କିଛିଦିନପରେ ରଫିଉଦିନ କହିଲେ ନା ତୁମର ମତ୍ସ୍ୟ ବିଭାଗରେ ହେବ ନାହିଁ ତୁମେ ରେଳ ବିଭାଗରେ ଚାକିରୀ କରିବ।

ଏହାକହିବାରୁ ନିରଞ୍ଜନ ନିଜ ପୁଅ ବିଶ୍ବଜିତ ବରାହ, ନୂଆହତାର ବିଶ୍ବଜିତ ମାଝୀ ଓ ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗାଁର ସଞ୍ଜିତ ସାମଲଙ୍କୁ ଯୋଗଡ଼କରି ଜଣପିଛା ୩ ଲକ୍ଷ ହିସାବରେ ଟଙ୍କା ମାଗିଥିଲେ। ଅଗ୍ରୀମ ଜଣ ପିଛା ଦେଢ଼ ଲକ୍ଷ ଟଙ୍କା ନେବେ। ମେଡିକାଲ ଟେଷ୍ଟ ପରେ ବକେୟା ଟଙ୍କା ନେବେ ବୋଲି କହିଥିଲେ। କଥା ଅନୁସାରେ ରାଜେଶଙ୍କ ମାଧ୍ୟମରେ ଟଙ୍କା ଦିଆଯାଇଥିଲା। ୩ ଜଣ ଯୁବକଙ୍କୁ କୋଲକାତାର ଏକ ରେଳ ବିଭାଗ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହାପରେ ସେମାନଙ୍କୁ ଚାଚରୀ ଷ୍ଟେସନ୍‌ରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ସମୟରେ ସେମାନଙ୍କୁ କୁହା ଯାଇଥିଲା ଯଦି ଆଉ ପିଲା କେହି ଅଛନ୍ତି ସୋମନଙ୍କୁ କୁହ ଟଙ୍କା ଦେବେ ତାଙ୍କୁ ବି ନିଯୁକ୍ତି ମିଳିବ କିନ୍ତୁ ତୁମଠାରୁ ଅଧିକ ଟଙ୍କା ଲାଗିବ।

ଏହି ଅନୁସାରେ ନିରଞ୍ଜନ ୧୨ ଜଣ ପିଲାଙ୍କୁ ଯୋଗାଡ଼କରି ଟଙ୍କା ଦେଇଥିଲେ। ଏହିଭଳିଭାବେ ବିଭିନ୍ନ ପର୍ଯ୍ୟାୟରେ ମୋଟ ୪୩ ଲକ୍ଷ ୮୫ ହଜାର ଟଙ୍କା ଠକି ନେଇଥିଲେ ରାଜେଶ ଓ ରଫିଉଦିନ। ନିଯୁକ୍ତି ନାଁରେ ଠକେଇର ଶୀକାର ହୋଇଥିବା ଜାଣିବା ପରେ ନିରଞ୍ଜନ ଜୁନ ୨୭ରେ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ପୁଲିସ ବୁଧବାର ରାଜେଶ ଓ ରଫିଉଦ୍ଦିନ ଗିରଫକରି କୋର୍ଟ ଚାଲାଣ କରିଛି।