ଘଟଣା ଓ ଦୁର୍ଘଟଣା

ନିଯୁକ୍ତି ନାଁରେ ୪ ଲକ୍ଷ ଟଙ୍କାର ଠକେଇ, ଜଣେ ଗିରଫ

By Angul TV Bureau

July 22, 2022

ଅନୁଗୁଳ: ବ୍ରହ୍ମପୁରର ସଞ୍ଜୟ କୁମାର ସାହୁ ନାମକ ଜଣେ ବିଟେକ୍ ଇଞ୍ଜନିୟରଙ୍କୁ ନିଯୁକ୍ତି ଦେବାକୁ କହି ୪ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ନାଲକୋ ଥାନା ପୋଲିସ ଜଣେ ଯୁବକଙ୍କୁ ଗୁରୁବାର ଗିରଫ କରିଛି।

ସୂଚନା ମୁତାବକ, ୨୦୨୦ ନଭେମ୍ବର ମାସରେ ସଞ୍ଜୟ କୁମାର ସାହୁ କାଣ୍ଡସରର କହ୍ନେଇନଗରରେ ରହୁଥିବା ଭବାନୀ ଶଙ୍କର ମହାପାତ୍ରଙ୍କ ସହ ଦେଖା ହୋଇଥିଲା। ଢ଼େଙ୍କାନାଳ ଓପିଟିସିଏଲ କମ୍ପାନୀରେ ଚାକିରୀ କରାଇଦେବାକୁ କହି ଭବାନୀ ସଞ୍ଜୟଙ୍କଠାରୁ ୪ ଲକ୍ଷ ଟଙ୍କାର ଏକ ଚେକ୍ ସଞ୍ଜୟ ନାଏକଙ୍କ ନାମରେ ନେଇଥିଲେ। ତେବେ ଦିନପରେ ଦିନ ବିତିଯାଇଥିଲେ ହେଁ ସଞ୍ଜୟଙ୍କୁ ନିଯୁକ୍ତି ମିଳିନଥିଲା। ତେଣୁ ଟଙ୍କା ଫେରସ୍ତ ଦେବାକୁ ସଞ୍ଜୟ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ଭବାନୀ ଧରାଛୁଆଁ ଦେଇନଥିଲେ। ଅନ୍ୟପକ୍ଷରେ ଧମକ ଦେଇଥିଲେ ଯେ, ବେଶି ଟଙ୍କା ମାଗିଲେ ଜୀବନରେ ମାରିଦେବୁ।

ଏ ନେଇ ସଞ୍ଜୟ ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଗୁରୁବାର ଭବାନୀଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ। ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ନାଲକୋ ଆଇଆଇସି ଡିକେ ଲାକ୍ରା ପ୍ରକାଶ କରିଛନ୍ତି।