କ୍ରୀଡ଼ା

ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍: ଟ୍ରଫି ହାତେଇଲା ପ୍ରଶାସନ ଏକାଦଶ

By Angul TV Bureau

May 06, 2023

ଅନୁଗୁଳ: ଆଜି ସ୍ଥାନୀୟ କଦମ ପଡ଼ିଆରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି। ସକାଳେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ରଜନୀକାନ୍ତ ସ୍ୱାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ।

ପ୍ରଥମେ ପ୍ରଶାସନ ଏକାଦଶ ଟସ ଜିତି ବ୍ୟାଟିଂ କରି ୧୦ ଉଇକେଟରେ ୧୩୮ ରନ ସଂଗ୍ରହ କରି ଫାଇନାଲରେ ପ୍ରବେଶ କରିଥିଲା। ଜବାବରେ ସିଭିଲ ସୋସାଇଟି ମାତ୍ର ୬୬ ରନ୍ ସଂଗ୍ରହ କରିଥିଲା। ସେହିଭଳି ଅପରାହ୍ନରେ ଟାଟା ଷ୍ଟିଲ ଏବଂ ମିଡିଆ ୧୧ ମଧ୍ୟରେ ମ୍ୟାଚ୍ ହୋଇଥିଲା। ମିଡିଆ ୧୧ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୮୫ ରନ ସଂଗ୍ରହ କରିଥିବା ବେଳେ ଟାଟା ଷ୍ଟିଲ ୧୦ ଓଭରରୁ ୮୬ ରନ ସଂଗ୍ରହ କରି ଫାଇନାଲରେ ପ୍ରବେଶ କରିଥିଲା।

ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ କେନ୍ଦ୍ରୀୟ ଉତ୍ତରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ଯୋଗ ଦେଇଥିଲେ। ଫାଇନାଲ ମ୍ୟାଚରେ ଟସ ଜିତି ପ୍ରଶାସନ ଏକାଦଶ ୧୦ ଓଭରରେ ୧୦ ଉଇକେଟରେ ୯୫ ରନ ସଂଗ୍ରହ କରିଥିଲେ। ବିପକ୍ଷରେ ଟାଟା ଷ୍ଟିଲ ୪୭ ରନରେ ସମସ୍ତ ଉଇକେଟ ହରାଇ ରନର୍ସ ଅପ ହୋଇଥିଲେ। ମ୍ୟାଚରେ ଗଙ୍ଗାଧର ବିଶ୍ୱାଳଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍, ଆଦିତ୍ୟ କୁମାରଙ୍କୁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ଘୋଷଣା କରାଯାଇଥିଲା।

ସମସ୍ତ ମ୍ୟାଚରେ ଅମ୍ପାୟାର ଥିଲେ ଅରୁଣ ପୁଷ୍ପାଳକ ଓ ଭବ ନାରାୟଣ ମିଶ୍ର। ଉପଜିଲ୍ଲାପାଳ ବୈତୁରା ଦୀପ ଏବଂ ଟାଟା ଷ୍ଟିଲର ଉପସଭାପତି, ଅପରେସନ, ଏନଏମବି ଏବଂ ଗ୍ରାଫିନ, ସୁବୋଧ ପାଣ୍ଡେ ଓ ଉପସଭାପତି କର୍ପୋରେଟ ସର୍ଭିସେସ, ଚାଣକ୍ୟ ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସଞ୍ଚାଳିତ ହୋଇଥିଲା।