ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲାରେ ଫଳଚାଷ: ବଜାରକୁ ଆସିବ ଆପଲ ବରକୋଳି, ସିଦ୍ଦୁ-ଶଙ୍କର ପଣସ

By Biswaranjan Pattnaik

October 12, 2022

ଅନୁଗୁଳ: ଏକଦା କମଳା ଚାଷରେ ନାଁ କମାଇଥିବା ଅନୁଗୁଳ ଜିଲ୍ଲା ଫଳ ଚାଷରେ ସମ୍ପୂର୍ଣ ପଛୁଆ ହୋଇଯାଇଥିଲା। ଉଦ୍ୟାନ କୃଷି ପ୍ରତି ପ୍ରଶାସନର ଅବହେଳା ଯୋଗୁଁ ଫଳ ଚାଷ ପାଇଁ ଆମକୁ ଆନ୍ଧ୍ର, ନାଗପୁର, ରାୟପୁର, ହିମାଚଳ ପ୍ରଦେଶ ଉପରେ ନିର୍ଭର କରିବାକୁ ପଡୁଥିଲା। ଖୁସିର ବିଷୟ ଏବେ ପୁଣି ଅନୁଗୁଳ ଜିଲ୍ଲା ଉଦ୍ୟାନ କୃଷିରେ ଆଖି ଦୃଶିଆ ସଫଳତା ସାଉଁଟିବା ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କରି ସାରିଛି। ଅନୁଗୁଳ ଜିଲ୍ଲାର ନାକଚି ଓ ପାଲଲହଡାରେ ଲିଚୁ ଚାଷ ପାଇଁ ଉତ୍ତମ ଜଳବାୟୁ ରହିଛି। ଶାହି, ବେଦନା ଓ ଚାଇନା ଭେରାଇଟିର ଲିଚି ପ୍ରାୟ ୧୦ ହେକ୍ଟର ଜମିରେ ସରକାରୀ ପ୍ରୋତ୍ସାହନରେ କରାଯାଉଛି। ପାଲଲହଡାରେ ଅଢେଇ ଏକର ଜାଗାରେ ଲିଚି ଲଗା ଯାଇଛି।

ନାକଚିରେ ଦେଢ଼ ଲକ୍ଷ ଆମ୍ବ, ତିରିଶ ହଜାର ପିଜୁଳି, ଦେଢ଼ ଲକ୍ଷ ଉନ୍ନତ ମାନର ସପୁରୀ ଲଗା ଯାଇଛି। ଏହାଛଡା ଏକ ଏକର ଜାଗାରେ ଆପଲ ବରକୋଳି ଓ ଅଢେଇ ଏକର ଜାଗାରେ ସିଦ୍ଦୁ- ଶଙ୍କର ପଣସ ଲଗା ଯାଇଛି। ଏହି ପଣସର କୋଷା ସିନ୍ଦୁର ରଙ୍ଗର ଓ ଖୁବ ମିଠା। ସେହିଭଳି ପାଲଲହଡାରେ ଅଢେଇ ଲକ୍ଷ ଆମ୍ବ କଲମୀ କରାଯାଇଥିବା ବେଳେ ଲିଚି ତିରିଶ ହଜାର, କମଳା ପଚାଶ ହଜାର ଓ କାଜୁ ଅଢେଇ ହଜାର ଚାରା ଲଗାଯାଇଛି। କିଶୋରନଗର ଅଞ୍ଚଳରେ ଉନ୍ନତ ମାନର ଜାମୁକୋଳି ଚାଷ କରାଯାଉଛି। ଅନୁଗୁଳ ଉଦ୍ୟାନ କୃଷି ବିଭାଗ ଉପନିର୍ଦେଶକ ସତ୍ଚିଦାନନ୍ଦ ଭୋଳ ଏଟିଭିକୁ ଏକ ସାକ୍ଷାତକାରରେ କହିଛନ୍ତି କି ଫଳ ଚାଷ ପାଇଁ ଚାଷୀ ମାନଙ୍କୁ ରିହାତି ଦରରେ ଚାରା ଯୋଗାଇ ଦିଆଯାଉଛି। ବିଭାଗୀୟ କାର୍ଯ୍ୟାଳୟ ସହ ଯୋଗା ଯୋଗ କଲେ ସେମାନଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଦିଆଯିବ ।