ଅନୁଗୋଳ : ଓରମାସ୍ (ORMAS) ଆନୁକୂଲ୍ୟରେ ସ୍ଥାନୀୟ ଅନୁଗୋଳ ହାଇସ୍କୁଲ ପଡ଼ିଆଠାରେ ସ୍ୱତନ୍ତ୍ର ଆମ୍ବ ପ୍ରଦର୍ଶନୀ “ଗାଁ ଆମ୍ବ ପସରା” ଆଜି ଉଦଘାଟିତ ହୋଇଯାଇଛି। ଏହି ଆମ୍ବ ପ୍ରଦର୍ଶନୀକୁ ମାନ୍ୟବର ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଉଦଘାଟନ ପରେ ସେ ପ୍ରଦର୍ଶନୀର ବିଭିନ୍ନ ଷ୍ଟଲ୍ ବୁଲି ଦେଖିବା ସହ ଆମ୍ବ ଚାଷୀମାନଙ୍କ ସହ ସେମାନଙ୍କ ସମସ୍ୟା ଓ ଚାଷର ଉନ୍ନତି ସମ୍ପର୍କରେ ପଚାରି ବୁଝିଥିଲେ। ଏହି ପ୍ରଦର୍ଶନୀ ଜୁନ୍ ୯ ତାରିଖରୁ ଆରମ୍ଭ ହୋଇ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଜିଲ୍ଲାର ସମୃଦ୍ଧ ଆମ୍ବ ଚାଷର ଐତିହ୍ୟକୁ ପ୍ରୋତ୍ସାହିତ କରିବା ସହ ଆମ୍ବ ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ସିଧାସଳଖ ଗ୍ରାହକମାନଙ୍କ ନିକଟରେ ବିକ୍ରି କରିବା ପାଇଁ ଏକ ସ୍ଵତନ୍ତ୍ର ବଜାର ସୃଷ୍ଟି କରିବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ।
ରଦର୍ଶନୀରେ ମୋଟ୍ ୬ଟି ଷ୍ଟଲ୍ କରାଯାଇଛି। ମୁଖ୍ୟତଃ ଅନୁଗୋଳ, ଛେଣ୍ଡିପଦା ଏବଂ କିଶୋରନଗର ବ୍ଲକରୁ ଚାଷୀ ନିଜର ଉତ୍ପାଦିତ ବିଭିନ୍ନ କିସମର ଆମ୍ବ ସହ ଏଥିରେ ଭାଗ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ୍ତ ମହନ୍ତ , ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ଗୌରବମୟ ପ୍ରଧାନ, ଓରମାସର ଯୁଗ୍ମ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିମନ ମଲଙ୍କ ସମେତ ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ।