ଅନୁଗୋଳ: ଗଜଲକ୍ଷ୍ମୀ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ଶୁକ୍ରବାର ଉପଜିଲ୍ଲାପାଳଙ୍କ ସଭାଗୃହରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନଭେମ୍ବର ୪ ତାରିଖରେ ମେଳଣ ଓ ଭସାଣି ଉତ୍ସବ କରିବାକୁ ସ୍ଥିର ହୋଇଛି। ଭସାଣି ଶୋଭାଯାତ୍ରାରେ ଡିଜେ ବଜାଇବାକୁ ଅନୁମତି ମିଳିବ ନାହିଁ ବୋଲି ସମସ୍ତ ପୂଜା କମିଟି ସହମତି ପ୍ରକାଶ କରିଛନ୍ତି।
ବୈଠକରେ ଅଗ୍ନି ଓ ବିଦ୍ୟୁତ୍ ସୁରକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଅବକାରୀ ଯାଞ୍ଚ ଏବଂ ଭସାଣି ମାର୍ଗ ନେଇ ଆଲୋଚନା ହୋଇଥିଲା। ଲଟେରି ମାଧ୍ୟମରେ ୯ଟି ମେଢ଼ର ଭସାଣି କ୍ରମ ନିର୍ଦ୍ଧାରଣ କରାଯାଇଛି। ଉପଖଣ୍ଡ ପୁଲିସ ଅଧିକାରୀ କୈଳାସ ଚନ୍ଦ୍ର ସେଠୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ପୂଜା କମିଟିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।