ଅନ୍ୟାନ୍ୟ

ଢୋଲ-ନିଶାନରେ ଦୁଲୁକିଲା ପାଳଲହଡ଼ା, ବିଦାୟ ନେଲେ ଗଣପତି

By Angul TV Bureau

September 25, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡ଼ା ସଦର ମହକୁମାରେ ଚାଲିଥିବା ଗଣେଶ ପୂଜା ଗୁରୁବାର ଭସାଣି ଉତ୍ସବ ସହ ଶେଷ ହୋଇଛି। କେନ୍ଦ୍ରୀୟ ଗଣେଶ ପୂଜା କମିଟି ଅଧୀନରେ ଥିବା ୧୦ଟି ପୂଜା କମିଟି ପକ୍ଷରୁ ପାଳଲହଡ଼ା ଷ୍ଟାଡିୟମ ପରିସରରେ ମେଳଣ ଆୟୋଜିତ ହୋଇଥିଲା। କମିଟି ସଭାପତି ଆଶିଷ ସାମଲଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପଟେଲ ମୁଖ୍ୟଅତିଥି ଓ ରଘୁନନ୍ଦନ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।

ବିଭିନ୍ନ ପୂଜା କମିଟି ଆକର୍ଷଣୀୟ ମେଢ଼ ସହ ମେଳଣରେ ସାମିଲ ହୋଇଥିଲେ। ଏହି ଅବସରରେ ଗଜାନନଙ୍କ ପ୍ରତିମା ୧୨,୧୦୦ ଟଙ୍କାରେ ସରୋଜ ସାହୁ ଓ ଆଜ୍ଞାଲଡ଼ୁ ୭,୫୫୦ ଟଙ୍କାରେ ଶ୍ରୀରାମ ମନ୍ଦିର କମିଟି ନିଲାମ ନେଇଥିଲେ। ଢୋଲ, ନିଶାନ ଓ ପାରମ୍ପରିକ ବାଦ୍ୟ ସହ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ଥାନା ଅଧିକାରୀ ପ୍ରଦୀପ ମହାନ୍ତଙ୍କ ନେତୃତ୍ୱରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।