ମୁଖ୍ୟ ଖବର

ଜିଲ୍ଲାସ୍ତରୀୟ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

By Angul TV Bureau

October 03, 2025

ଅନୁଗୁଳ: ସତ୍ୟ ଓ ଅହିଂସାର ପୂଜାରୀ ଜାତିର ଜନକ ମହାତ୍ମାଗାନ୍ଧିଙ୍କ ୧୫୬ତମ ଜୟନ୍ତୀ ଓ ଶାନ୍ତିର ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ୧୨୧ତମ ଜୟନ୍ତୀ ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ଗାନ୍ଧି ପାର୍କରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଅନୁଗୁଳର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜନ ପ୍ରତିନିଧି, ଜିଲ୍ଲାସ୍ତରୀୟ ଅଧିକାରୀ ଓ ବୁଦ୍ଧିଜୀବୀ ପ୍ରମୁଖ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତି ଓ ଶାନ୍ତିର ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ।

ଅବସରପ୍ରାପ୍ତ ସଭାପତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ, ଡ. ଧରଣୀଧର ନାଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମହାତ୍ମାଗାନ୍ଧୀଙ୍କ ଅହିଂସା ନୀତି ଆଦର୍ଶର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିଥିଲେ। ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ. କୁଳମଣି ନାୟକ ଓ ବାଜିରାଉତ ଛାତ୍ରାବାସର ଛାତ୍ରୀମାନେ ଗୀତା ପାଠ କରିଥିବାବେଳେ ରେଭରେଣ୍ଟ ଯୋଶିୟ କାଊରୀ ବାଇବେଲ ପାଠ କରିଥିଲେ। ମୌଲାନା ମହମ୍ମଦ ଲିୟାକତ କୋରାନ ପାଠ କରିଥିଲେ। ଗାନ୍ଧି ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ସ୍ତରରେ ଆୟୋଜିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

ଗାନ୍ଧି ଜୟନ୍ତୀ ଉପଲକ୍ଷେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ପ୍ରତ୍ୟୁଷରେ ସହରରେ ରାମଧୁନ ରେକର୍ଡ ବଜାଯାଇ ସହର ପରିକ୍ରମା କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍ୱେଚ୍ଛାସେବୀ, ବୁଦ୍ଧିଜୀବୀ, ଗାନ୍ଧୀପ୍ରେମୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଅପରାହ୍ନରେ ଗାନ୍ଧୀଙ୍କ ବିଚାର ଓ ଦର୍ଶନକୁ ନେଇ ଜିଲ୍ଲା ପାଠାଗାର ଠାରେ ଆୟୋଜିତ ହୋଇଥିବା ଆଲୋଚନା ଚକ୍ର ଓ କବିତା ପାଠୋତ୍ସବରେ ମୁଖ୍ୟ ଅତିଥି ଭାବେ ଡ.ଧରଣୀଧର ନାଥ, ମୁଖ୍ୟ ବକ୍ତା ଭାବେ ପ୍ରଫେସର କୁମୁଦ ଚନ୍ଦ୍ର ଦାସ, ସମ୍ମାନିତ ବକ୍ତା ଡ. ଦଧିବାମନ ପ୍ରଧାନ, ସଂଯୋଜକ ଡ. ବୈରାଗୀ ମଲ୍ଲିକ ଯୋଗ ଦେଇ ଗାନ୍ଧିଙ୍କ ଜୀବନୀ, ଅହିଂସା ନୀତି ଓ ଆଦର୍ଶ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ।