ଅନୁଗୋଳ: ଅନୁଗୋଳ ସହରର ପୁରାତନ ଅନୁଷ୍ଠାନ ପ୍ରିନ୍ସ କ୍ଲବ ପକ୍ଷରୁ ଚଳିତ ବର୍ଷ ନିଆରା ଢଙ୍ଗରେ ‘ଗଣେଶ ଆଗମନ’ ଉତ୍ସବ ପାଳିତ ହୋଇଛି। ଶନିବାର ସନ୍ଧ୍ୟାରେ ମଣ୍ଡପରେ ପ୍ରଭୁ ବିଘ୍ନବିନାଶକଙ୍କ ମୂର୍ତ୍ତି ପହଞ୍ଚିବା ପରେ ରଙ୍ଗୀନ ଆଲୋକ, ବାଣ ଫୁଟାଇ ଏବଂ ବାଦ୍ୟର ତାଳେ ତାଳେ ମହାଆଡ଼ମ୍ବରରେ ସିଦ୍ଧିବିନାୟକଙ୍କୁ ସ୍ବାଗତ କରାଯାଇଥିଲା।
ଅନୁଗୋଳରେ ଏଭଳି ଆଗମନ କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କ୍ଲବ ପକ୍ଷରୁ ସ୍ୱତନ୍ତ୍ର ପରମ୍ପରା ବଜାୟ ରଖାଯାଇଛି। ଚଳିତ ବର୍ଷ ଆକର୍ଷଣୀୟ ‘ରାଧାକୃଷ୍ଣ ଥିମ୍’ରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଥିବା କମିଟିର ସଭାପତି ଦିବ୍ୟଜିତ୍ ଦାଶ ପ୍ରକାଶ କରିଛନ୍ତି। ଗଣେଶ ପୂଜା ପୂର୍ବରୁ ପ୍ରିନ୍ସ କ୍ଲବର ଏହି ଅନନ୍ୟ ପ୍ରୟାସ ସହରବାସୀ ଏବଂ କ୍ଲବ ସଦସ୍ୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି କରିଛି। ସଜ୍ଜିତ ମଣ୍ଡପ ଓ ଆଲୋକମାଳାରେ ସାରା ସହରର ପରିବେଶ ଉତ୍ସବମୁଖର ହୋଇପଡ଼ିଛି।